ଓଡିଶା

odisha

ETV Bharat / state

ଜଗନ୍ନାଥଙ୍କ ପ୍ରେମରେ ସାମ ଚାଚା, ମୁଖରୁ ଝରୁଛି ଭଜନ-ଜଣାଣ - Dibyang Muslim love Jagannath Bhajan

ଆଜନ୍ମ ଦୃଷ୍ଟିହୀନ ହୋଇ ମଧ୍ୟ ଜଗନ୍ନାଥ ଭଜନ ସଙ୍ଗୀତ ଭିତରେ ସେ ଦେଖୁଛନ୍ତି ଦୁନିଆ । ଧର୍ମରୁ ମୁସଲିମ , କିନ୍ତୁ ମହାପ୍ରଭୁଙ୍କ ପ୍ରତି ରହିଛି ତାଙ୍କ ହୃଦୟରେ ଅପାର ଦୁର୍ବଳତା । ଏକବିଂଶ ଶତାବ୍ଦୀର ଏହି ସାଲବେଗ ହେଲେ ସାମ ଚାଚା ...

ଜଗନ୍ନାଥଙ୍କ ପ୍ରେମରେ ସାମ ଚାଚା , ମୁଖରୁ ଝରୁଛି ଭଜନ-ଜଣାଣ
ଜଗନ୍ନାଥଙ୍କ ପ୍ରେମରେ ସାମ ଚାଚା , ମୁଖରୁ ଝରୁଛି ଭଜନ-ଜଣାଣ

By

Published : Feb 14, 2021, 5:45 PM IST

କଟକ: ଭକ୍ତ-ଭଗବାନଙ୍କ ମିଳନ ପାଇଁ ଧର୍ମ ନୁହେଁ ଦରକାର ଭକ୍ତି । ଏଇଥିପାଇଁ ତ ଦିନେ ଭକ୍ତ ସାଲବେଗ ର ମନ କଥା ଶୁଣିଥିଲେ କାଳିଆ ଠାକୁର । ଆଉ ଅଟକିଯାଇଥିଲା ନନ୍ଦିଘୋଷ । ଏକବିଂଶ ଶତାବ୍ଦୀର ଏଭଳି ଆଉ ଜଣେ ସାଲବେଗ ହେଲେ କଟକ କିଶନ ନଗର ପ୍ରହରାଜପୁର ଗ୍ରାମର ସାମ ଚାଚା ଓରଫ ଅବଦୁଲ ସମ୍ମଦ ନିଜାମି । ଜାତିରେ ମୁସଲମାନ ହେଲେ ବି ତାଙ୍କ ଭାବର କଣ୍ଠରୁ ବେଶ ବାରିହୋଇ ପଡୁଛି ମହାପ୍ରଭୁଙ୍କ ପ୍ରତି ଥିବା ଅହେତୁକ ଭକ୍ତି । ଆଉ ସଂଗୀତ ସାଧନାରେ ନିମଜ୍ଜିତ ରହି ବିଶ୍ୱ ନିଅନ୍ତାଙ୍କ ନିକଟରେ ସେ ଅର୍ପଣ କରିଚାଲିଛନ୍ତି ଭକ୍ତିର ନୈବେଦ୍ୟ ।

ଜଗନ୍ନାଥଙ୍କ ପ୍ରେମରେ ସାମ ଚାଚା , ମୁଖରୁ ଝରୁଛି ଭଜନ-ଜଣାଣ

55 ବର୍ଷୀୟ ସାମ ଚାଚା। ଯିଏ ଆଜନ୍ମ ଅନ୍ଧ । ଦୁନିଆ ଦେଖିବା ତାଙ୍କର ସ୍ୱପ୍ନ । ହେଲେ ସେ ଅକ୍ଷମ । 1974 ମସିହାରେ କଟକ କଳାବିକାଶ କେନ୍ଦ୍ର ରେ ଯୋଗ ଦେଇଥିଲେ ସେ । ଭଜନ ସମ୍ରାଟ ଭିକାରୀ ବଳ ଙ୍କୁ ଗୁରୁ କରି ଶିଖିଥିଲେ ଭଜନ ଓ ଜଣାଣ। ଭଜନ ଦୁନିଆ ରେ ଏପରି ହଜି ଯାଇଥିଲେ ଯେ ଗୁରୁ ଯେଉଁ ମାର୍ଗ ରେ ଯାଉଥିଲେ ସେହି ମାର୍ଗ କୁ ବାଛିନେଲେ ସାମ ଚାଚା । ଆଉ ଜୀବନ ତମାମ ଜଗନ୍ନାଥ ଭଜନ ଗାଇବା ପାଇଁ କରିନେଲେ ସ୍ଥିର । ତେବେ ସେହି ଦିନଠୁ ଆଜି ପର୍ଯ୍ୟନ୍ତ ସେ ଗାଇ ଚାଲିଛନ୍ତି ମହାପ୍ରଭୁଙ୍କ ଭଜନ ।


ହେଲେ ସାମ ଚାଚାଙ୍କ ଏତେ ସୁନ୍ଦର କଷ୍ଠ ପଛରେ ରହିଛି ଅକଳନୀୟ ସଂଘର୍ଷର କାହାଣୀ । ଭଜନ କାର୍ଯ୍ୟକ୍ରମ ଓ ପିଲାଙ୍କୁ ଗୀତ ଶିଖାଇ ଯାହା ରୋଗଜାର କରନ୍ତି ସେଥିରେ ଚଳେ ତାଙ୍କ 6 ପ୍ରାଣୀ କୁଟୁମ୍ବ । ହେଲେ କୋରୋନା ପରଠୁ ସବୁ ବନ୍ଦ ପଡିଛି । ଗାଁରେ ରହିଥିବା ଝାଟିମାଟି ଘରେ କଷ୍ଟେମଷ୍ଟେ ଜୀବନ ବିତଛାଉଛନ୍ତି ପୂରା ପରିବାର ।



କଳା ସାଆନ୍ତଙ୍କ ନିକଟରେ ସମର୍ପିତ ସାମ ଚାଚା ଦୁନିଆ ଦେଖିନାହାନ୍ତି ସତ , ହେଲେ ସମାଜରେ ଜାତିପ୍ରଥା , ସାମ୍ପ୍ରଦାୟିକବାଦର ଅନ୍ଧପୁଟୁଳି ପିନ୍ଧୁଥିବା ଲୋକଙ୍କ ଆଖିର ପରଳ ହଟାଇଛନ୍ତି .. ଆଉ ଏଭଳି ଜଣେ ପ୍ରତିଭାବାନ କଷ୍ଠଶୀଳ୍ପିଙ୍କୁ ପ୍ରୋତ୍ସାହନ ସହ ତାଙ୍କ ପରିବାର ପ୍ରତି ଦୃଷ୍ଟି ନିକ୍ଷେପ ଆବଶ୍ୟକ ରହିଛି ..

କଟକରୁ ପ୍ରଭୁ କଲ୍ୟାଣ ପାଳ,ଇଟିଭି ଭାରତ

ABOUT THE AUTHOR

...view details