କଟକ:ଠକ ମୌଲାନା କୈଫି ଖାନର ଧୀରେ ଧୀରେ ଫିଟୁଛି ଗୁମର । ଆଜି ପୁଣି ଠକ ନାଁରେ ମଙ୍ଗଳାବାଗ ଥାନାରେ ଆଉ ଗୋଟିଏ ଏତଲା ହୋଇଛି । ଏହା ସହ କଟକର ବିଭିନ୍ନ ଥାନାରେ କୈଫିଙ୍କ ନାଁରେ ମୋଟ ୫ଟି ମାମଲା ରୁଜୁ ହୋଇଛି । ଘରୁ ଭୂତପ୍ରେତ ଘଉଡ଼ାଇବା ସହ ବିଭିନ୍ନ ପ୍ରକାର ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଚାଲିଥିଲା । ଗୋଟିଏ ମାମଲାରେ ପ୍ରଥମେ ଗିରଫ ହେବା ପରେ ତାର ଅପରାଧିକ ତାଲିକା ବଢିବାରେ ଲାଗିଛି ।
ଆଜି ହୋଇଥିବା ଏତଲା ଅନୁସାରେ ଜଗତସିଂହପୁର ତିର୍ତୋଲର ଦେବୀ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଦୁବାଇ କସ୍ତୁରୀ ମାୟାରେ ପକାଇ ଏହି ଠକ ନେଇଛି ପ୍ରାୟ ୨୨ଲକ୍ଷ ଟଙ୍କା । ୨୦୧୮ ମସିହାରେ ଘରର ବାସ୍ତୁ ଠିକ କରିବା ଓ ଅନିଷ୍ଠକାରୀ ଆତ୍ମା ଘଉଡ଼ାଇବାକୁ କହି ଦେବୀ ମହାନ୍ତି ନାମକ ଏହି ବ୍ୟକ୍ତିଙ୍କଠାରୁ ସେ ୨୨ଲକ୍ଷ ଟଙ୍କା ଠକି ନେଇଥିଲା । ଅତୃପ୍ତ ଆତ୍ମା ଶାନ୍ତ କରିବା ପାଇଁ ଓ ବାସ୍ତୁ ଦୋଷ କାଟିବାକୁ ଦୁବାଇ ଓ ସିଙ୍ଗାପୁରରୁ କସ୍ତୁରୀ ଆସିବ। ତେଣୁ ଅଧିକ ଟଙ୍କା ଦରକାର କହି କୈଫି ଏହି ଟଙ୍କା ନେଇଥିଲା । ଆଉ ଟଙ୍କା ନେବା ପରେ ମୋବାଇଲ ସୁଇଚ ଅଫ୍ କରିଦେଇଥିଲା ।
ଘଟଣାରେ ମଧ୍ୟସ୍ଥି ସାଜିଥିବା ଜୁଲଫିକର୍ ମଧ୍ୟ ଟଙ୍କା ଫେରାଇ ଆଣିବାରେ ନିଜର ଅସହାୟତା ପ୍ରକାଶ କରିଥିଲେ। ତେବେ ଏହି ଘଟଣା ଘଟିବା ପରେ ଆଜି ଆଉ ଏକ ମାମଲା ଠକ ମୌଲାନା ନାଁରେ ଆସିଛି । ସେପଟେ ଠକ କୈଫିକୁ ୫ ଦିନିଆ ରିମାଣ୍ଡରେ ଆଣି ଅଧିକ ଅନୁସନ୍ଧାନ ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ସୁଦ୍ଧା କୈଫିର ୧୨ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି । ଏହା ସହ କୈଫିର ସେୟାର ମାର୍କେଟର ଡି ମାର୍ଟ ଆକାଉଣ୍ଟ ଅଚଳ କରିବା ପାଇଁ ସେବିକୁ ଲେଖାଯାଇଥିବା ଡିସିପି ସୂଚନା ଦେଇଛନ୍ତି। କୈଫିର ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି।