କଟକ:ବନ୍ଧୁ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ ବଢିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରି କ୍ରାଇମବ୍ରାଞ୍ଚ ଏହି ଘଟଣାର ପୁନର୍ବାର ତଦନ୍ତ କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଏହି ମାମଲାର ତଦନ୍ତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତଦନ୍ତ ପରେ ତଳ କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ଗତବର୍ଷ ଫେବୃଆରୀ 21 ତାରିଖରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ହୋଇଥିଲା । ଆନନ୍ଦଙ୍କ ବାପା ତାଙ୍କ ପୁଅକୁ ବିରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ଅଭିଯୋଗ କରି ମାମଲା ଦାୟର କରିଥିଲେ ।
ଏହା ବି ପଢନ୍ତୁ...ଆନନ୍ଦ ଟପ୍ପୋ ହତ୍ୟା ମାମଲା, ତଦନ୍ତ ସାମ୍ନା କଲେ ବାନ୍ଧବୀ ମନଜିତ ଟେଟେ
ତଦନ୍ତ ସମୟରେ ଯେଉଁ ସବୁ ନଥିପତ୍ର, ରେକର୍ଡ, କେସ ଡ଼ାଏରୀ ଆଦି ସଂଗ୍ରହ କରାଯାଇଥିଲା ତାହା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆନନ୍ଦଙ୍କ ବାପା । ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ।
ଇନଫୋସିଟି ପୋଲିସ ଦ୍ଵାରା ଦାଖଲ କରାଯାଇଥିବା ଚାର୍ଜସିଟରେ ସନ୍ତୁଷ୍ଟ ନଥିଲେ ମୃତ ଆନନ୍ଦଙ୍କ ବାପା । ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହକି ତାରକା ତଥା ଡିଏସପି ବୀରେନ୍ଦ୍ର ଲାକ୍ରାଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଥିଲେ ଆନନ୍ଦଙ୍କ ପରିବାର । ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଆନନ୍ଦ ଟପ୍ଟୋଙ୍କ ମୃତ୍ୟୁ ଘଟଣାରେ ପୋଲିସ ନିଷ୍କ୍ରୟିତାକୁ ନେଇ ହାଇକୋର୍ଟ ପୂର୍ବରୁ କ୍ଷୁବ୍ଧ ହୋଇଥିଲେ । ପୋଲିସର ନିଷ୍କ୍ରିୟତା ସାଂଘାତିକ ବୋଲି କୋର୍ଟ କହିଥିଲେ । ପୋଲିସର ଏପରି କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ ହାଇକୋର୍ଟ ।