କଟକ: କୋଭିଡର ଦ୍ବିତୀୟ ଲହର ଯେତିକି ଯେତିକି ନିମ୍ନଗାମୀ ହେବାରେ ଲାଗୁଛି ତୃତୀୟ ଲହରୀକୁ ନେଇ ଆଶଙ୍କା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଉଛି । ରାଜ୍ୟର କୋଭିଡ ମୁକାବିଲା ଲାଗି ବିଭିନ୍ନ ବିଦେଶୀ ସଂଗଠନ ମଧ୍ୟ ରାଜ୍ୟ ସରକାରଙ୍କ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି । ଏହି କ୍ରମରେ ‘ଆମେରିକାନ-ଇଣ୍ଡିଆ ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ରାଜ୍ୟ ସରକାରଙ୍କ ସହାୟତାରେ ଓଡ଼ିଶାରେ ଶହେ ବେଡ ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି ।
ପ୍ରାୟ 8 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେବାକୁ ଥିବା ଗୋଟିଏ ହସ୍ପିଟାଲ କଟକର ନିଶ୍ଚିତକୋଇଲି ଓ ଅନ୍ୟଟି ଗଞ୍ଜାମରେ ପ୍ରତିଷ୍ଠା କରାଯିବ । ବଡ଼ କଥା ହେଲା ଏହି ହସ୍ପିଟାଲ ଏକ ପେଟେବୁଲ ହସ୍ପିଟାଲ ଭାବେ ପ୍ରତିଷ୍ଠା କରାଯିବ। ଅର୍ଥାତ ଏକ କଙ୍କ୍ରିଟ୍ ଷ୍ଟ୍ରକଚର ଖଞ୍ଜା ଯାଉଥିବା ଏହି ହସ୍ପିଟାଲର ଭିତ୍ତିଭୁମିକୁ ଆବଶ୍ୟକ ମୁତାବକ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇ ପରିବ । ଆଇଆଇଟି ଚେନ୍ନାଇ ସହିତ ମଡ୍ୟୁଲସ୍ ନାମକ ଏକ ସଂସ୍ଥା ଦ୍ବାରା ନିର୍ମିତ ଏହି ପ୍ରକଳ୍ପରେ ଆମେରିକାନ-ଇଣ୍ଡିଆ ଫାଉଣ୍ଡେସନ ମଧ୍ୟ ଅନୁବନ୍ଧିତ ରହିଛି ।