କଟକ: କୋଭିଡ ହସ୍ପିଟାଲରେ ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥା । ଏଭଳି ଅଭିଯୋଗ କରିଛନ୍ତି ରୋଗୀ ସମ୍ପର୍କୀୟ । କଟକ ବଡ଼ ମେଡିକାଲ ପରିସରରେ ଥିବା କୋଭିଡ ହସ୍ପିଟାଲ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ରୋଗୀ ସମ୍ପର୍କୀୟ । କୋଭିଡ ରୋଗୀଙ୍କୁ ଦେଖିବାକୁ କୌଣସି ଡାକ୍ତର ଆସୁ ନାହାନ୍ତି । ରୋଗୀଙ୍କୁ ଅକ୍ସିଜେନ ମଧ୍ୟ ଠିକ ସମୟରେ ଦିଆଯାଉ ନାହିଁ । ଅକ୍ସିଜେନ ଶେଷ ହେବାର ଦୀର୍ଘ ସମୟ ପରେ ଅଭିଯୋଗ କଲେ ମିଳୁଛି ଅକ୍ସିଜେନ । ଆଉ ଖାଦ୍ୟ କଥା ନକହିବା ଭଲ । କୋଭିଡ ରୋଗୀଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷ ଏହାକୁ ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି ।
ଗତକାଲି ରାତିରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟି ଦିଆଯାଇଥିଲା । ଗରମରେ ହନ୍ତସନ୍ତ ହେଉଥିଲେ କରୋନା ରୋଗୀ । ଅଭିଯୋଗ କରିବାରୁ ରୋଗୀ ସମ୍ପର୍କୀୟଙ୍କୁ ରୋଗୀଙ୍କ ପାଖରେ ନରହିବାକୁ କହିବା ସହ ବିଳମ୍ବିତ ରାତିରେ ଜୋର ଜବରଦସ୍ତ କାଢି ଦେଇଛନ୍ତି । ଏପରି ସ୍ଥିତି ଦେଖି ଅନେକ ରୋଗୀ ସମ୍ପର୍କୀୟ ନିଜ ନିଜ ରୋଗୀଙ୍କୁ ଘରକୁ ଫେରାଇ ନେବାକୁ କହିଛନ୍ତି ।
କେବଳ ସେତିକି ନୁହେଁ ଏସସିବି କୋଭିଡ ହସ୍ପିଟାଲରେ କୋଭିଡ ରୋଗୀଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅତି ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସେହିପରି ଏକ ଟ୍ରଲିରେ ଖାଦ୍ୟ ନିଆଯାଇ ହସ୍ପିଟାଲ ରୁମ ଆଗରେ ଖାଦ୍ୟ ନେବା ପାଇଁ କୁହାଯାଉଛି । ଯେଉଁ ମାନେ ଅତି ଗୁରୁତ୍ୱର ହୋଇଥିବେ ସେମାନେ କିପରି ଖାଦ୍ୟ ନେବେ ବୋଲି ପ୍ରଶ୍ନ କରିଛନ୍ତି ରୋଗୀ ସମ୍ପର୍କୀୟ ।ଏହି କାରଣରୁ ଅନେକ ରୋଗୀ ଭୋକରେ ରହି ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି ।