୨ ନାବାଳିକାଙ୍କୁ ମଧ୍ୟପ୍ରଦେଶ ଚାଲାଣ କଟକ: ଦୁଇ ନାବାଳିକାଙ୍କୁ ରାଜ୍ୟ ବାହାରକୁ ଚାଲାଣ ଅଭିଯୋଗ । ବିବାହ ପାଇଁ ମଧ୍ୟପ୍ରଦେଶକୁ ଚାଲାଣ ହୋଇଥିବା ଅଭିଯୋଗ ହୋଇଛି । କଟକ ଷ୍ଟୁଆର୍ଟ ପାଟଣା ଅଞ୍ଚଳରୁ ଏଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ଖବର ପାଇ ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜଣେ ମଧ୍ୟସ୍ଥି ଜରିଆରେ ଚାଲାଣ ହେବା ନେଇ ଅଭିଯୋଗ ହୋଇଥିଲା । କଟକ ଷ୍ଟୁଆର୍ଟ ପାଟଣା ଅଞ୍ଚଳରୁ ଜନୈକ ନାବାଳିକା ସ୍କୁଲ ନଯିବାରୁ ପଚରାଉଚରା ପରେ ଏହି ଚାଲାଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ନାବାଳିକା ଜଣକ ଅନ୍ୟ ଏକ ନାବାଳିକାଙ୍କୁ ଜଣେ ମହିଳାଙ୍କ ସାଙ୍ଗରେ ବିବାହ ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ପଠାଯାଇଥିବା ଜଣାପଡ଼ିଛି । ତେବେ CWC ପକ୍ଷରୁ ଏନେଇ ବିଡାନାସି ଥାନାରେ ଏତେଲା ଦାୟର କରାଯିବ । ଜଣେ ମହିଳାଙ୍କ ମାଧ୍ୟମରେ କେଉଁ ଭଳି ଭାବେ ଦୁଇ ନାବାଳିକାଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଛି ସେନେଇ ଅଧିକ ତଦନ୍ତ ଜାରି ରହିଛି । ଏହାସହ ଉକ୍ତ ନାବାଳିକାଙ୍କ ପରିବାରକୁ ପଚରାଉଚରା କରଯାଉଛି । ଏହା ଅନ୍ତଃରାଜ୍ୟ ଘଟଣା ହେଉଥିବାରୁ ମାମଲାରେ କ୍ରାଇମବ୍ରାଞ୍ଚର ସହାୟତା ମଧ୍ୟ ଲୋଡ଼ାଯିବ ବୋଲି କହିଛନ୍ତି କଟକ CWC ଅଧକ୍ଷ ପ୍ରମୋଦ ଆଚାର୍ଯ୍ୟ ।
ଏହା ମଧ୍ୟ ପଢ଼ନ୍ତୁ:ଚାକିରି ଦେବା ନାଁରେ ନାବାଳିକା ଚାଲାଣ, ଦଲାଲ ସହ 4 ନାବାଳିକା ଉଦ୍ଧାର
ଅନ୍ୟପଟେ ଏହି ଘଟଣାରେ ସ୍ଥାନୀୟ ଥାନାରେ ଏତଲା ହେଲେ ପୋଲିସ ତାହାର ତଦନ୍ତର ଦିଗ ଅଗ୍ରସର କରିବ ବୋଲି କଟକ ଅତରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି । ପୂର୍ବରୁ ଆଠଗଡ଼ ଗୁରୁଡିଝାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତ ମଧ୍ୟପ୍ରଦେଶ ଅଞ୍ଚଳର ଜଣେ ଯୁବକ ସହ କଟକ ଗଡ଼ଗଡ଼ିଆ ମନ୍ଦିରରେ ବାହା କରାଉ ଥିବା ବେଳେ ନାବାଳିକାର ଅଜା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ସୂଚନା ପାଇ ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର ହୋଇଯାଇଥିବା ବେଳେ ଦୁଇ ଜଣ ଦଲାଲ ସହ ପରିବାର ଲୋକଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣିଥିଲେ । ଏହାପରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ସହ ନାବାଳିକାଙ୍କୁ CWCରେ ହାଜର କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ଦୁଇ ଜଣ ଦଲାଲଙ୍କୁ ଅଟକ ରଖାଯାଇଥିଲା । ଘଟଣା ସମ୍ପର୍କରେ ନାବାଳିକାଙ୍କ ବୟନ ମଧ୍ୟ ରେକର୍ଡ ହୋଇଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ବିବାହ କରାଯାଉଥିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ।
ଇଟିଭି ଭାରତ, କଟକ