କଟକ: ସାଧାରଣ ଲୋକଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥା ଜଟିଳ ହୋଇପଡିଛି । ହାଇକୋର୍ଟରୁ ମାମଲା ଖାରଜ ହେଲେ, ସୁପ୍ରିମକୋର୍ଟରେ ଚାଲେଞ୍ଜ କରି ମାମଲା ରୁଜୁ କରିବା ସାଧାରଣ ଲୋକଙ୍କ ପାଇଁ ବାଧକ ସାଜିଛି ଅର୍ଥ । ଯାହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ହାଇକୋର୍ଟରେ ଏକ ଭର୍ଚୁଆଲ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ଓକିଲ ସଂଘ । ଏକ ହଜାର ଆଇନଜୀବୀମାନେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ବୁଧବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
ହାଇକୋର୍ଟ ପରିସରରେ ଆଇନଜୀବି ନିଶିକାନ୍ତ ମିଶ୍ର କହିଛନ୍ତି, ‘‘କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଉର୍ଦ୍ଦେଶରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୦ଟି ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି । ଯାହା ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇପାରୁଛି । ଖୁବଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ଭର୍ଚୁଆଲ ହାଇକୋର୍ଟ ଖୋଲିବା ଲାଗି ଯୋଜନା ମଧ୍ୟ ରହିଛି । ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅଧିକାଂଶ ଓଡ଼ିଶାର ଲୋକ ଆର୍ଥିକ ଅନଗ୍ରସରତା ମଧ୍ୟରେ ରହିଥାନ୍ତି । ହାଇକୋର୍ଟରେ କୌଣସି ମାମଲା ଖାରଜ ହେଲେ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟକୁ ଯିବା ଲାଗି ଆର୍ଥିକ ସ୍ତରରେ ସକ୍ଷମ ହୋଇ ନଥାନ୍ତି । ଫଳରେ ଅଧିକାଂଶ ଗରିବ ଲୋକେ ସୁପ୍ରିମକୋର୍ଟରୁ ନ୍ୟାୟ ପାଇବାରେ ବଞ୍ଚିତ ହୋଇଥାନ୍ତି । ’’