କଟକ:ନକଲି ଆକ୍ୱାଗାର୍ଡ ସାମଗ୍ରୀ ଜବତ ଘଟଣା। ଏନେଇ କମିଶନରେଟ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏହି ମାମଲା କେବଳ କଟକ କି ଭୁବନେଶ୍ୱର ରେ ନୁହେଁ ବରଂ ଏହାର ଚେର ଦିଲ୍ଲୀ କୁ ଲମ୍ବି ଥିବା ଜଣାପଡିଛି। ଦୁଇଟି ନିର୍ଦ୍ଧିଷ୍ଟ ସ୍ଥାନ ରୁ ଏହି ନକଲି ସାମଗ୍ରୀ ଆମଦାନି କରି ବିକ୍ରୟ କରାଯାଉଥିବା ନେଇ ପୋଲିସ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ମୁହଁରୁ ଏହି ତଥ୍ୟ ହାସଲ କରିଛି। ତେବେ ପୋଲିସ ଚଞ୍ଚଲ୍ୟକର ତଥ୍ୟ ଓଗାଳିବା ପରେ ଏକ ସଂଗଠିତ ବଡ ରକେଟ ଏଥିରେ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି।
ନାନା ରକମ ର ଖାଦ୍ୟ ସାମଗ୍ରୀ ସିମେଣ୍ଟ ଆଦିରେ ବ୍ୟାପକ ନକଲି କରାଯାଉଥିବା ଘଟଣା ପୂର୍ବ ରୁ ସାମ୍ନାକୁ ଆସିଥିଲା। ହେଲେ ବିଶୁଦ୍ଧ ପାଣି ପିଇବା ପାଇଁ ବ୍ୟବହୃତ ମେସିନରେ ମଧ୍ୟ ନକଲି ଯନ୍ତ୍ରାଶ ବ୍ୟବହାର ହେଉଛି। ତେବେ ଏହା ଜାଣିବା ପରେ କମିଶନରେଟ ପୋଲିସ ଏହି ଘଟଣାକୁ ଅତି ଗୁରୁତ୍ୱର ନେବା ସହ ଏହି ମାମଲାର ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନକୁ ଦୁଇ ଦିନ ରିମାଣ୍ଡ ରେ ଆଣି ପୋଲିସ ଚଞ୍ଚଲ୍ୟକର ତଥ୍ୟ ଓଗାଳିଛି।
ତେବେ ଏହି ନକଲି ମାଲ ସବୁ ଦିଲ୍ଲୀ ର ଏକ ନିର୍ଦ୍ଧିଷ୍ଟ ଦୋକାନରୁ ଆସୁଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ କହିଛି। ଟ୍ରାନ୍ସପୋର୍ଟ ଓ ଟ୍ରେନ ରେ କ୍ୟାଟ୍ରିଜ ଆଣି କଟକ ଓ ଆଖପାଖ ଅଞ୍ଚଳକୁ ପଠାଯାଉଥିଲା। କିଣା 70 ରୁ 80ଟଙ୍କା ହୋଇଥିବା ବେଳେ ବିକ୍ରି 450 ଟଙ୍କାରେ ହେଉଥିଲା। ତେବେ ଏକ ବଡ ରକେଟ ସଂଗଠିତ ଭାବରେ ଏହି କାରବାର ରେ ଲିପ୍ତ ବୋଲି ପୋଲିସ କହିଛି।
କିଛି ଦିନ ର ବ୍ୟବଧାନ ପରେ ପୁଣି ସିଲଭର ସିଟିରେ ନକଲି ଜିନିଷ ଠାବ କରିବାରେ ସଫଳ ହୋଇଛି ପୋଲିସ। ନକଲି ଯନ୍ତ୍ରାଂଶ, ନକଲି ଫିଲଟର, ନକଲି କାର୍ବନ ସହିତ ନକଲି ଲୋଗୋ ଆଉ ନକଲି ବ୍ରାଣ୍ଡି କରି କମ୍ପାନୀ ଦର ଠାରୁ କମ୍ ଦାମରେ ବିକୁଥିଲା ଅଭିଯୁକ୍ତ । କଟକ ସହରର ତିନୋଟି ଜାଗାରେ ଚାଲିଥିଲା ଏହି କଳା କାରନାମା । ବାଦାମବାଡ଼ି ପୋଲିସ ଏହି ନକଲି ଗୋଦାମକୁ ଠାବ କରିବା ସହିତ 2ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।
ପ୍ରକାଶ ଥାଉକି, ବାଦାମବାଡ଼ି ଅଞ୍ଚଳରେ ୟୁରେକା ଫୋର୍ବସ କମ୍ପାନୀର ଆକ୍ବାଗାର୍ଡ ନକଲି ଯନ୍ତ୍ରାଂଶ ତିଆରି ଓ ବିକ୍ରି ୟୁନିଟ ଠାବ କରିଥିଲା ପୋଲିସ । ଏହି ମାମଲାରେ 2ଜଣ ଗିରଫ ହୋଇଛନ୍ତି । ନକଲି ହୋଲଗ୍ରାମ , କ୍ୟୁଆର କୋଡ଼ ଓ ବିଭିନ୍ନ ପ୍ରକାର ନକଲି ସାମଗ୍ରୀ ଜବତ କରିଥିଲା ପୋଲିସ। ପୋଲିସ ର ଏକ ଟିମ ଓ ଆକ୍ବାଗାର୍ଡ କମ୍ପାନୀର ଅଧିକାରୀ ଚଢ଼ାଉ ରେ ସାମିଲ ହୋଇଥିଲେ। ବଦାମବାଡ଼ି ପୋଲିସ ହାଇକୋର୍ଟ କଲୋନୀ ସହ 3 ଟି ସ୍ଥାନ ରେ ଚଢ଼ାଉ କରିଥିଲା ପୋଲିସ । ଏହି ମାମଲାରେ ଏଯାବତ 2 ଜଣଙ୍କୁ ଗିରଫ କରାଯାଇଛି । ପାଖାପାଖି 80 ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହେବା ସହ କମ୍ପାନୀ ଲୋଗୋ ର ଡୁପ୍ଲିକେଟି କରୁଥିବାରୁ ଏହା କମ୍ପାନୀ ପାଇଁ ଚିନ୍ତାଜନକ । ଫୋର୍ବସ କମ୍ପାନୀ ତରଫରୁ ମଧ୍ୟ ଏ ନେଇ ଖୋଳ ତାଡ଼ କରୁଥିବା ବେଳେ କମ୍ପାନୀ ଅଧିକାରୀ ଏବଂ କର୍ମଚାରୀ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ସେ ନେଇ ନଜର ରଖିଛି ପୋଲିସ। ସାଧାରଣ ଲୋକ କମ୍ପାନୀ website ରୁ ଉତ୍ପାଦ ଉପରେ ଅଧିକ ବିବରଣୀ ଦେଖି କିଣିବାକୁ ଅନୁରୋଧ କରିଛନ୍ତି କମ୍ପାନୀର ଅଧିକୃତ ଅଧିକାରୀ ।
ଇଟିଭି ଭାରତ, କଟକ