କଟକ: ଆଇନଜୀବୀ ଆର୍ଯ୍ୟ ଭୂଷଣ ଚୌଧୁରୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୋଲିସ । କଟକ ବିଡାନାସୀ ନୂଆସାହି ଠାରେ ଘଟିଥିବା ଏହି ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସରକାରୀ ଜମିକୁ ବେଆଇନ ଭାବରେ ବିକ୍ରି କରିବା ଏହି ହତ୍ୟାକାଣ୍ଡର ମୂଳ କାରଣ ବୋଲି ସ୍ପଷ୍ଟ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ଦାସ ନାମକ ଜଣେ ଜମି ଦଲାଲକୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ ।
ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଆର୍ଯ୍ୟ ନୂଆସାହିରେ ଏକ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଏକ ଘର ନିର୍ମାଣ କରିଥିଲେ । ସେହି ଜମିକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଅଭିଯୁକ୍ତ ଜମି ଦଲାଲ ସୁକାନ୍ତ ଦାସର ସହାୟତା ନେଇଥିଲେ ଆଇନଜୀବୀ । ସୁକାନ୍ତ ଜମିକୁ ବିକ୍ରି କରିବା ପାଇଁ ଗ୍ରାହକ ଠିକ କରିବା ସହ ଗ୍ରାହକଙ୍କ ଠାରୁ ୫୦ ହଜାର ଟଙ୍କା ଆଡଭାନ୍ସ ଆକାରରେ ଆଣି ଆର୍ଯ୍ୟ ଭୂଷଣକୁ ଦେଇଥିଲେ । କିନ୍ତୁ ଆର୍ଯ୍ୟ ଭୂଷଣକୁ ଜମି ବିକ୍ରିରେ ଜାଲିଆତି କରିଥିବା ଅଭିଯୋଗ କରି ସୁକାନ୍ତ ପ୍ରଥମେ ତାଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲା । ଆର୍ଯ୍ୟ ଭୂଷଣଙ୍କ ମୃତ୍ୟୁ ହେବାପରେ ତାଙ୍କ ମୃତଦେହକୁ ସେହି ଜମି ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା ।" ତେବେ ଏନେଇ ସମସ୍ତ ପ୍ରକାର ପ୍ରମାଣ ସଂଗ୍ରହ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।