କଟକ:ଯଶସ୍ବୀ ସାହିତ୍ୟିକ ପ୍ରଖ୍ୟାତ କବି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସେ ଅଗଷ୍ଟ 4ତାରିଖରୁ ଏସସିବି ବଡ ମେଡିକାଲ ଚିକିତ୍ସିତ ହେଉଥିଲେ । ଗତକାଲି (ରବିବାର) ରାତିରେ ତାଙ୍କର ଦେହାନ୍ତ ହୋଇଛି । 95 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର । ଆଜି (ସୋମବାର) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜୟନ୍ତ ମହାପ୍ରାତ୍ରଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ ସମ୍ପନ୍ନ: ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଲେଖାରେ ଓଡିଶା ମାଟିର ମହକ ଥିଲା । କବିତାରେ ସାଧାରଣ ଲୋକଙ୍କ ଜୀବନ ବାରି ହୋଇ ପଡୁଥିଲା । ଇଂରାଜୀ ସାହିତ୍ୟ ତଥା କବିତା ରଚନାରେ ଜୟନ୍ତ ମହାପାତ୍ରଙ୍କ ରହିଥିଲା ସ୍ବତନ୍ତ୍ର ପରିଚୟ । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ନିମୋନିଆ ଓ କିଡନୀ ରୋଗରେ ପୀଡିତ ଥିଲେ । ଅକ୍ସିଜେନ ପରିମାଣ କମିବାରୁ ନିଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା । ଏନେଇ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୟନ୍ତ ପଣ୍ଡା ତାଙ୍କର ଚିକିତ୍ସା କରୁଥିଲେ । ସେ ଭଲ ହୋଇ ଆସୁଥିଲେ ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା । ରବିବାର ରାତି 9ଟାରେ ତାଙ୍କର ପରଲୋକ ହୋଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ଭାରତୀୟ ସାରସ୍ୱତ ଜଗତରେ ଶୋକର ଛାୟା ଖେଳିଯାଇଛି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖାନନଗରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
2009ରେ ପଦ୍ମଶ୍ରୀ ସମ୍ମାନିତ ହୋଇଥିଲେ ଜୟନ୍ତ: ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଲେଖାଗୁଡିକ ମଧ୍ୟରେ ସ୍ବୟଂବର, ପ୍ରତୀକ୍ଷା, ସମ୍ପର୍କ, ବଳୀ, କହିବି ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ, ଭୋର ମୋତିର କାନଫୁଲ ରଚନା କରି ସାହିତ୍ୟକୁ ସମୃଦ୍ଧ କରିଥିଲେ । ସେହିପରି ଇଂରାଜୀ କବିତା ପୁସ୍ତକ 'କ୍ଲୋଜ ଜି ସ୍କାର', ରେନ ଅଫ ଟାଇମ୍ସ, ଲାଇଫ ସାଇନ୍ସ ଏବଂ ହ୍ବାଇଟନେସ ଅଫ ବୋନ ଆଦି ସଂକଳନ ବେଶ ଆଦୃତ ଲାଭ କରିଥିଲା । 2019ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଫୋଲୋସିପ ଏବଂ 2009ରେ ପଦ୍ମଶ୍ରୀ ସମ୍ମାନିତ ହୋଇଥିଲେ । ସେବେ ଇନଟଲେରାନ୍ସକୁ ନେଇ ବିବାଦ ଉଠିଥିଲା ସେତେବେଳେ ସେ ଏହି ପୁରସ୍କାର ଫେରାଇ ଦେବା ପାଇଁ କହି ଚର୍ଚ୍ଚାକୁ ଆସିଥିଲେ । 2010ରେ ସାରଳା ସମ୍ମାନ, ଗଙ୍ଗାଧର ଜାତୀୟ ସମ୍ମାନ ପାଇଥିଲେ । ବିଦେଶରେ ମଧ୍ୟ ଅସାଧାରଣ ପ୍ରତିଭା ତଥା ସାହିତ୍ୟ ସାଧନା ପାଇଁ ସମ୍ମାନିତ ହୋଇଛନ୍ତି ।
ଏହା ବି ପଢନ୍ତୁ....ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ପରଲୋକ, ଦୁଇଦିନ ପୂର୍ବରୁ ଦୁର୍ଘଟଣାର ହୋଇଥିଲେ ଶିକାର