କଟକ: ଏମିତି ଜଣେ ମଣିଷ, ଯିଏ ମଣିଷ ସେବାକୁ ନିଜ ଜୀବନ ବ୍ରତ କରି ସାରିଛନ୍ତି । କଟକ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ କର୍କଟ ରୋଗୀଙ୍କୁ ସେ କରନ୍ତି ସେବା । ଏହାସହ ତାଙ୍କର ଆଉ ଏକ ପରିଚୟ ହେଉଛି ‘ଶବର ସାଥୀ’ । ସେ ହେଉଛନ୍ତି କଟକ ନେତାଜୀ ନଗର ଅଞ୍ଚଳରେ ରହୁଥିବା ଅଭିମନ୍ୟୁ ଦାସ ।
ପ୍ରାୟ 10 ବର୍ଷରୁ ଅଧିକ ସମୟ ଧରି ସେ ନିଃସ୍ଵାର୍ଥପର ଭାବେ ପରିତ୍ୟକ୍ତ ମୃତଦେହମାନଙ୍କର ଯଥୋଚିତ ରୀତିନୀତିରେ ସତ୍କାର କରି ଆସୁଛନ୍ତି ।
ମନରେ କୌଣସି ପର ଆପଣା ନ ରଖି ସେ ଏହି କାମ ବେଶ୍ ସୁଚାର ରୂପେ କରି ଆସୁଛନ୍ତି । ମନରେ ଘୃଣା ଭାବକୁ ପଛରେ ପକାଇ ସମାଜ ପାଇଁ କିଛି କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ଅଭିମନ୍ୟୁ । ଏସସିବି ଓ କର୍କଟ ମେଡିକାଲରେ କର୍କଟ ରୋଗୀଙ୍କର ନିରନ୍ତର ସେବା କରିବା ସହ ଏପର୍ଯ୍ୟନ୍ତ ପ୍ରାୟ 1200 ମୃତଦେହର ଶେଷକୃତ୍ୟ କରି ସାରିଛନ୍ତି । ଯେଉଁ ମୃତଦେହ ପାଖରେ କେହିନଥାନ୍ତି, ତାହା ପାଖରେ ପହଞ୍ଚିଯାନ୍ତି ଅଭିମନ୍ୟୁ । ତାଙ୍କର ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବାବେଳେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଟ୍ବିଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି ।