ନିଆଳି: ଆଠ ଦଫା ଦାବିରେ ନିଆଳିରେ ବିଜେପିର ଧାରଣା । କେନ୍ଦ୍ରରୁ ଆସୁଥିବା ଅନୁଦାନର ହରିଲୁଟକୁ ବିରୋଧ କରି ଧାରଣାରେ ବସିଛନ୍ତି ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । କଟକ ଜିଲ୍ଲା ନିଆଳି ବ୍ଲକ ସମ୍ମୁଖରେ ନିଆଳି ବିଜେପି ଦଳ ନେତା ଛବି ମଲ୍ଲିକଙ୍କ ନେତୃତ୍ବରେ ଆଠ ଦଫା ଦାବିରେ ଧାରଣା ଆଜି ( ସୋମବାର ) ଆଠ ଦିନରେ ପହଞ୍ଚିଛି । ନିଆଳି ବିଡିଓଙ୍କ ମନମୁଖୀ କାର୍ଯ୍ୟ କାର୍ଯ୍ୟକୁ ବିରୋଧ କରି ବିଜେପି ପକ୍ଷରୁ ଏହି ଧାରଣା ଦିଆଯାଇଛି । ହେଲେ ଧାରଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଧାରଣାସ୍ଥଳରେ କଟକ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।
ବିଜେପିର ଏହି ଧାରଣାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ବଢି ଚାଲିଛି । ବିଗତ ଆଠ ଦିନ ଧରି ବିଜେପିର ଏହି ଧାରଣା ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଧାରଣାସ୍ଥଳରେ ନ ପହଁଞ୍ଚିବା ଘଟଣାକୁ ନିନ୍ଦା କରିଛନ୍ତି ଧାମନଗର ବିଧାୟକ । ନିଆଳି ବ୍ଲକରେ ଅଧିକାଂଶ ଲୋକଙ୍କ ନିକଟରେ କେନ୍ଦ୍ର ସରକାର ପଠେଇ ଥିବା ଯୋଜନାକୁ ବିଡିଓ ପହଞ୍ଚେଇବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।