ନିଆଳି:ଜଙ୍ଗଲୀ ବାରାହା ଆକ୍ରମଣରେ ୪ ଗୁରୁତର । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବାଲିପଡା ଗ୍ରାମରେ ବାରାହା ଆକ୍ରମଣରେ ୪ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବାରାହାର ଆତଙ୍କ ଯୋଗୁଁ ସ୍ଥାନିୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସଞ୍ଜ ହେଲେ ପଡ଼ି ଯାଉଛି ଗାଁର ତାଟି କବାଟ ।
ଗତ କିଛି ଦିନ ହେବ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକରେ ବାରାହା ଉପଦ୍ରବ ଦେଖାଦେଇଛି । ସଞ୍ଜ ହେବା ମାତ୍ରେ ଗାଁକୁ ଭିତରକୁ ପଶି ଆସୁଛି ଜଙ୍ଗଲୀ ବାରାହା । ଚାଷଜମି ନଷ୍ଟ କରିବା ସହ ଧମଜୀବନ ନଷ୍ଟ କରୁଛନ୍ତି ବାରାହା ପଲ । ଖବର ଅନୁସାରେ, କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବାଲିପଡା ଗାଁରେ ବାରହା ଆକ୍ରମଣରେ ୪ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ବାଲିପଡା ଗାଁର ଲିଜା ମଲ୍ଲିକ, ପ୍ରଦୀପ୍ତ ମଲ୍ଲିକ, ନିରଞ୍ଜନ ମଲ୍ଲିକ ଏବଂ ମନୋଜ ଦାଶ । ଆହାତ ମାନଙ୍କ ପାଖରେ ବନ ବିଭାଗ କର୍ମଚାରୀ ପହଞ୍ଚି ଚିକିତ୍ସା ପାଇଁ ହାତ ବଢାଇଛନ୍ତି । ସେପଟେ ବାରାହା ପଲର ଆତଙ୍କ ଯୋଗୁଁ ସ୍ଥାନିୟ ବାସିନ୍ଦା ଭୟଭୀତ ଅବସ୍ଥାରେ କାଳତିପାତ କରୁଛନ୍ତି । ବାରାହାକୁ କାବୁ କରିବା ପାଇଁ ଗତକାଲି ସନ୍ଧ୍ୟାରୁ ଫୁଲନଖର ବନ ବିଭାଗ ସବୁ ଉଦ୍ୟମ ସତ୍ତ୍ବେ ଫେଲ ମାରିଛି । ବୁଧବାର ସଂଧ୍ୟାରେ ପୁଣି ଥରେ ବାରାହାକୁ ଧରିବା ପାଇଁ ନନ୍ଦନକାନନର ଟ୍ରାଙ୍କୁଲାଇଜର ଟିମର ସହାୟତା ନିଆଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା କାବୁ ହୋଇନାହାନ୍ତି ବାରାହା ପଲ ।