କଟକ: ପ୍ରଶାସନର ଗୁଡି଼ ଉଡ଼ାଇବା କଟକଣାକୁ ଫୁ କଲେ କଟକ ବାସିନ୍ଦା ! ପୋଲିସକୁ ଚାଲେଞ୍ଜ କରି ଖୁଲମଖୁଲା ଗୁଡି ଉଡାଇଲେ କଟକବାସୀ । ସବୁଠାରୁ ବଡ଼ କଥା ହେଉଛି ମାଞ୍ଜା ସୂତାରେ ଗୁଡି଼ ଉଡାଇ ନିୟମ ଉଲଂଘନ କରିଛନ୍ତି ସହରବାସୀ । ଫଳରେ ଗୁଡ଼ିର ମାଞ୍ଜା ସୂତା ଲାଗି ସହରର ୩ ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାସହ ପୋଲିସ ପାଟ୍ରୋଲିଂ ସଠିକରେ ହେଉନଥିବା ଅଭିଯୋଗ ହୋଇଛି।
ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗୁଡି଼ ଉଡାଇବାର ପରମ୍ପରା ରହିଛି । ମାତ୍ର ପୋଲିସର ଗାଇଡ଼ଲାଇନ୍ସ ସତ୍ତ୍ୱେ କଟକ ଆକାଶରେ ଆଜି ଭରପୁର ଗୁଡି଼ ଉଡିଥିଲା । ଚାଇନିଜ ଓ ମାଞ୍ଜା ସୂତାରେ ଗୁଡ଼ି ଉଡାଇବା ଉପରରେ କମିଶନରେଟ ପୋଲିସ କଡ଼ା ନିର୍ଦ୍ଦେଶ ପରେ ମଧ୍ୟ ନିୟମ ଅବମାନନା କରି ଗୁଡି ଉଡାଇଥିଲେ ଲୋକେ । ଆଉ ପ୍ଲାଷ୍ଟିକ ଚାଇନିଜ ଧାରୁଆ ସୁତା ଲାଗି ଗୋପାଳପୁର ନିକଟରେ ଦୁଇ ଜଣ ଆହତ ହୋଇଥିବା ବେଳେ ପୁରୀଘାଟ ଥାନା ଅଞ୍ଚଳରେ ଜଣେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ।
ତେବେ ଗୁଡ଼ିର ମାଞ୍ଜା ସୂତା ଲିଗିଯିବା ଫଳରେ କଟକ ଗୋପାଳପୁର ଛକରେ ଅଘଟଣା ଦେଖିବାକୁ ମିଳିଛି । ଦୁଇ ବାଇକ ଆରୋହୀ ନିଆଳିରୁ କଟକ ଆସୁଥିବା ବେଳେ ହଠାତ ସେମାନଙ୍କ ବେକ ଓ ହାତରେ ପ୍ଲାଷ୍ଟିକ ସୂତା ଗୁଡ଼ାଇ ହୋଇଯାଇଥିଲା । ତତ୍କ୍ଷଣାତ ଗାଡି ଅଟକାଇ ଦେଖୁ ଦେଖୁ ବେକରେ ସୂତା ଲାଗି କଟିଯାଇଥିଲା । ଏହାସହ ଅନ୍ୟ ଜଣଙ୍କ ହାତରେ ସୂତା ଲାଗି ରକ୍ତସ୍ରାବ ହୋଇଥିଲା । ତେବେ ଉଭୟ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।