କଟକ:ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ କରିବା । ପ୍ରେମ ନିବେଦନର ଏକ ଅଡିଓ ଭାଇରାଲ ହେବା ପରେ ଚାକିରିରୁ ବିଦା ହୋଇଛନ୍ତି ଦୁଇ ଅଗ୍ନିଶମ କର୍ମଚାରୀ । ବିଶୃଙ୍ଖଳିତ ଆଚରଣ ପାଇଁ ଦୁଇ ଅଗ୍ନିଶମ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଅଭିଯୋଗ ଆସିବା ପରେ ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ରର ଦୁଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଅଗ୍ନିଶମ ବିଭାଗ ।
ଏହି ଦୁଇ ନିଲମ୍ବିତ କର୍ମଚାରୀ ହେଉଛନ୍ତି ଷ୍ଟେସନ ଅଫିସର ରମାକାନ୍ତ ମଲ୍ଲିକ ଓ ଫାୟରମ୍ୟାନ କେଦାର ସେଠୀ । ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ କୌଣସି ଏକ କାମରେ ଚଣ୍ଡିଖୋଲରେ ଥିବା ଅଗ୍ନିଶମ କାର୍ଯ୍ୟାଳୟକୁ ଆସିଥିଲେ। ସେହିଠାରେ ହିଁ ପ୍ରଥମେ କେଦାର ସେଠୀଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା ଏବଂ ସେଠାରେ ଉଭୟ ଉଭୟଙ୍କ ଫୋନ ନମ୍ବର ଦିଆ ନିଆ ହୋଇଥିଲା । ପରବର୍ତ୍ତୀ ସମୟରେ କେଦାର ଏବଂ ଉକ୍ତ ମହିଳାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ ହୋଇଥିଲା । ଏପରିକି କେଦାର ଓ ଉକ୍ତ ମହିଳାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା ।
ଏହା ବି ପଢନ୍ତୁ- ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା, ଚାକିରିରୁ ବିଦା ହେଲେ ୩ ଅବକାରୀ କର୍ମଚାରୀ
ରାତିରେ ଉଭୟ ଏକାଠି ଅଗ୍ନିଶମ କାର୍ଯ୍ୟାଳୟରେ ରହୁଥିବା ଖବର ଜାଣିବାକୁ ପାଇଥିଲେ ଷ୍ଟେସନ ଅଫିସର ରମାକାନ୍ତ ମଲିକ । କାହିଁକି ରାତିରେ ଅଗ୍ନିଶମ କାର୍ଯ୍ୟାଳୟରେ ମହିଳାଙ୍କୁ ରଖିଥିଲେ ବୋଲି କେଦାରଙ୍କୁ ପ୍ରଶ୍ନ କରିଥିଲେ । ଏଥିପାଇଁ କେଦାରଙ୍କୁ ଅନେକ ଥର ଗାଳି ଗୁଳଜ କରିବା ସହ ଉକ୍ତ ମହିଳାଙ୍କ ନମ୍ବର ମାଗିଥିଲେ ରମାକାନ୍ତ । କେଦାରଙ୍କଠାରୁ ନମ୍ବର ନେଇ ଉକ୍ତ ମହିଳାଙ୍କୁ ବାରମ୍ବାର କଲ କରି ହଇରାଣ ହରକତ କରୁଥିଲେ ରମାକାନ୍ତ । କେବଳ ସେତିକି ନୁହେଁ ତାଙ୍କ ରୁମକୁ ଆସିବାକୁ ଉକ୍ତ ମହିଳାଙ୍କୁ ରମାକାନ୍ତ ବାଧ୍ୟ କରିଥିଲେ । ତାଙ୍କ କଥା ନ ରଖିଲେ କେଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳାଙ୍କୁ ଧମକାଉଥିଲେ ।
ତେବେ ମହିଳା ଜଣକ ତାଙ୍କ ପୁରୁଷ ବନ୍ଧୁ (କେଦାର)ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ରମାକାନ୍ତଙ୍କୁ ଅନୁରୋଧ ବି କରିଥିଲେ । ମହିଳା ଜଣକ ରମାକାନ୍ତଙ୍କ ସହ ବାର୍ତ୍ତାଳପର ଅଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେବାରୁ ଏହାର ତଦନ୍ତ କରି ଅଗ୍ନିଶମ ବିଭାଗ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟ କେଦାର ଏବଂ ରମାକାନ୍ତଙ୍କୁ ନିଲମ୍ବନ କରିଛି ରାଜ୍ୟ ଅଗ୍ନିଶମ ବିଭାଗ । ଏହି ଘଟଣାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।
ଇଟିଭି ଭାରତ, କଟକ