ସିଏମସିରେ ଚାଲିଛି ଅଫିସର ରାଜ କଟକ: ସିଏମସିରେ କାଉନ୍ସିଲ ବୈଠକ । ଏହି ବୈଠକରେ ମେୟର ଓ କମିଶନରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ କର୍ପୋରେଟର । ତେବେ ଅଦିନିଆ ବର୍ଷା ସମୟରେ କଟକ ଜଳବନ୍ଦୀ, ବାଲିଯାତ୍ରା ବିବାଦ ଓ ଅନ୍ୟାନ୍ୟ ଅନଲାଇନ ଟେଣ୍ଡରକୁ ନେଇ ମେୟରଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ ସମସ୍ତ କର୍ପୋରେଟର । ବିଶେଷକରି ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଶତାଧିକ କର୍ମଚାରୀ ଦୀର୍ଘମାସ ଧରି ଦରମା ପାଇ ନଥିବାରୁ ସଂସ୍ଥାର କର୍ମଚାରୀ ଓ ସିଏମସିର ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି କର୍ପୋରେଟର । ଏହାସହ ସିଏମସିରେ ବର୍ତ୍ତମାନ ଅଫିସର ରାଜ ଚାଲିଥିବା କହିଛନ୍ତି ବିରୋଧୀ ଦଳ ।
ଅନ୍ୟପଟେ କଟକର 59ଟି ୱାର୍ଡରେ ଦୀର୍ଘ ବର୍ଷ ଧରି ଯେଉଁ ମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଶୀଘ୍ର ବଦଳି କରିବା ପାଇଁ ମଧ୍ୟ ସ୍ୱର ଉଠାଇଛନ୍ତି ସମସ୍ତ କର୍ପୋରେଟର । ତେବେ ଯଦି ଏହି ଦିଗରେ ଆଗାମୀ ଦିନରେ ସିଏମସି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରେ ତେବେ ଉଭୟ ମେୟର ଓ କମିଶନରଙ୍କୁ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି କର୍ପୋରେଟର । ସେହିପରି ଏହି ବୈଠକରେ ସବୁ ୱାର୍ଡର ସମସ୍ୟା ଓ ଆବଶ୍ୟକତା ପଚାରି ବୁଝିଥିଲେ ମେୟର । ବିଶେଷକରି ବିଭିନ୍ନ ୱାର୍ଡରେ ଅଙ୍ଗନବାଡ଼ି ନିର୍ମାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା, ପରିମଳ ଦିଗ ଉପରେ ଆଲୋଚନା କରିଥିଲେ ମେୟର ଓ କମିଶନର । ଆଜିର ଏହି କାଉନସିଲ ବୈଠକରେ ଆଗକୁ ମୌସୁମୀ ଆସୁଥିବା ହେତୁ ସମସ୍ତ ନାଳକୁ ସଫା କରିବା, ସହରକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିଲା ।
ବିରୋଧୀ ଦଳର କର୍ପୋରେଟରମାନେ କିଛି ପ୍ରସଙ୍ଗକୁ ନେଇ ହୋ ହାଲ୍ଲା ପାଟିତୁଣ୍ଡ କରିଥିଲେ । ପଙ୍କ ଉଦ୍ଧାରଠାରୁ ନେଇ ଜଳ ଛତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା। ଏକ ଘରୋଇ ଏଜେନ୍ସି ଜରିଆରେ ସିଏମସିରେ କାମ କରୁଥିବା 4 ଶହରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ସମ୍ପୃକ୍ତ ଏଜେନ୍ସି ପ୍ରତି ମାସରେ ଦରମା ଦେଉନାହିଁ ତେଣୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ଶାସକ ଏବଂ ବିରୋଧୀ ଦଳ କର୍ପୋରେଟରମାନେ କମିଶନଙ୍କୁ ଅବଗତ କରିଥିଲେ । ଏନେଇ ସମ୍ପୃକ୍ତ ଘରୋଇ ଏଜେନ୍ସିର ଟେଣ୍ଡର ବାତିଲ କରାଯାଉ ବୋଲି କାଉନସିଲ ବୈଠକରେ ଦାବି ଉଠାଇଛନ୍ତି କର୍ପୋରେଟର।
ସେହିପରି ଜଣେ ନିର୍ଦ୍ଧିଷ୍ଟ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ବିରୋଧୀ କର୍ପୋରେଟରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ବର୍ଷ ଧରି ଏହି ଯନ୍ତ୍ରୀ ଜଣକ କାହିଁକି ସିଏମସିରେ ଅଛନ୍ତି ମେୟର କମିଶନର ତାଙ୍କୁ କାହିଁକି ଘଣ୍ଟ ଘୋଡାଇ ରଖିଛନ୍ତି ବୋଲି ପ୍ରଶ୍ନ ଉଠିଥିଲା । ଅନ୍ୟପଟେ ପଙ୍କ ଉଦ୍ଧାର କାର୍ଯ୍ୟ ଆସନ୍ତା ଏପ୍ରିଲ ସୁଦ୍ଧା ଶେଷ ହେବ ବୋଲି କମିଶନର କହିଥିବା ବେଳେ ସେପଟେ କୌଣସି ଯନ୍ତ୍ରୀଙ୍କୁ କାଢ଼ିବାର କ୍ଷମତା କାଉନସିଲର ନାହିଁ ବୋଲି କହିଛନ୍ତି ମେୟର। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ଦିଷ୍ଟ ଯନ୍ତ୍ରୀଙ୍କ ବିରୁଦ୍ଧରେ ୫୯ ଟି ୱାର୍ଡର କର୍ପୋରେଟର ଅଭିଯୋଗ ଆଣିନାହାନ୍ତି, କିଛି ହାତ ଗଣତି କର୍ପୋରେଟର ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି । ଏଥିସହ ଘରୋଇ ଏଜେନ୍ସିର ଦରମା ପ୍ରଦାନ ଅନିୟମିତତା ପ୍ରସଙ୍ଗରେ ସିଏମସି ସମ୍ପୃକ୍ତ ଏଜେନ୍ସିକୁ ନୋଟିସ ଜାରି କରିବ ବୋଲି ମେୟର କହିଛନ୍ତି।
ଇଟିଭି ଭାରତ, କଟକ