କଟକ: ୧୯୨୧ ମସିହା ମାର୍ଚ୍ଚ ମାସ ଆଜିର ତାରିଖ ତଥା ୨୩ ତାରିଖରେ ଓଡିଶା ଆସିଥିଲେ ବାପୁ । ମହାତ୍ମାଙ୍କ ଓଡ଼ିଶା ଗସ୍ତକୁ ୧୦୨ ବର୍ଷ ପୂର୍ତ୍ତି ହୋଇଛି । ଏହାକୁ ମନେ ପକାଉଛନ୍ତି କଟକବାସୀ । ମହାତ୍ମାଙ୍କୁ ଝୁରୁଛି ସିଲଭର ସିଟି । କଟକର କାଠଯୋଡି କୂଳରେ ବାପୁଙ୍କ ବୌଠକର ସ୍ମୃତି ଏବେବି ଉଜ୍ଜିବୀତ । ମହାତ୍ମାଙ୍କ ଆଦର୍ଶରେ ଏବଂ ଭାବଧାରା ଏବେବି ସେହି ସ୍ଥାନରେ ନିଜର ଅସ୍ଥିତ୍ବକୁ ବଞ୍ଚାଇ ରଖିଛି । ସେହି ସ୍ମୃତିକୁ ସାଉଁଟି ରଖିବା ପାଇଁ ବେଲ୍ ଭ୍ୟୁରେ ସ୍ଥାପିତ ହୋଇଛି ଗାନ୍ଧୀ ସ୍ମାରକୀ ପାର୍କ ।
ତେବେ ଏହାକୁ ଦୃଷ୍ଟିରେ ରଖି ଆଜିର ଦିନକୁ ଏକ ସ୍ମୃତି ଦିବସ ଭାବରେ ପାଳୁଛି କଟକ । ଗାନ୍ଧୀଜୀଙ୍କ ପ୍ରଥମ କଟକ ଗସ୍ତକୁ ଆଜି ଜିଲ୍ଲା ପ୍ରଶାସନ ଓ ଗାନ୍ଧୀବାଦୀ ପାଳନ କରିଛନ୍ତି । ବେଲଭ୍ୟୁରେ ସ୍ଥାପିତ ଗାନ୍ଧୀ ସ୍ମାରକୀ ପାର୍କରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରାଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରଥମଥର ଲାଗି ଓଡିଶା ଆସି କଟକ ପୁରୀଘାଟରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ୫ ଦିନର ଏହି ଓଡିଶା ଗସ୍ତରେ ସେ ବାଲେଶ୍ବର, ଭଦ୍ରକ, କଟକ, ସାକ୍ଷୀଗୋପାଳ, ପୁରୀ ଓ ଗଞ୍ଜାମ ବୁଲି ଇଂରାଜମାନଙ୍କ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନକୁ ବଳିଷ୍ଠ କରିବାକୁ ଆହ୍ବାନ ଦେଇଥିଲେ ।