କଟକ: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କଟକ ସହରକୁ ଆଗମନର ଶତବାର୍ଷିକି ଉତ୍ସବ । ଏଥିପାଇଁ ସହରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କଟକ ରେଳଷ୍ଟେସନରୁ ଟ୍ରେନରୁ ଓହ୍ଲାଇ ବାପୁ ଯେଉଁ ବାଟ ଦେଇ କାଠଯୋଡ଼ି ନଦୀକୂଳରେ ପହଁଚି ସଭା କରିଥିଲେ ସେହି ବାଟ ଦେଇ ଏକ ବିଶାଳ ଶୋଭାଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ସେହି ସମୟରେ ଗାନ୍ଧୀଜୀ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀଗୁଡ଼ିକର ଏକ ପ୍ରଦର୍ଶନୀ ମଧ୍ୟ ଲଗାଯାଇଛି ।
1921 ମସିହା ମାର୍ଚ୍ଚ ମାସ 23 ତାରିଖ । ଏହି ଦିନ ଓଡ଼ିଶା ଗ୍ରସ୍ତରେ ଆସି ଥିବା ଅହିସାଂର ପୂଜାରୀ ମହାତ୍ମା ଗାନ୍ଧୀ କାଠଯୋଡ଼ି ନଦୀ ପଠାରେ ଏକ ସଭାର ଆୟୋଜନ କରିଥିଲେ । ସେହି ଐତିହାସିକ ଦିନର ସ୍ମୃତିଚାରଣ କରିବା ପାଇଁ ଏକାଠି ହୋଇଛି ଐତିହାସିକ ସହର କଟକ । ଏନେଇ ଆଜି କଟକ ସହରରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିବା ବେଳେ ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଦରଘାବଜାର ସ୍ଥିତ ପୁରୁଣା ଜେଲରେ ଏକ ପଟଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ସହ ଏହି ପ୍ରଦର୍ଶନୀରେ ଆସନ୍ତାକାଲି ପ୍ରଦର୍ଶିତ ହେବ ଶହେ ବର୍ଷ ତଳେ ବାପୁ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀ ।
ଓଡିଶା ଆଗମନ ସମୟରେ କଟକ ରେଳଷ୍ଟେସନରୁ ବାହାରି ଗାନ୍ଧୀ ସହରର ଯେଉଁ ବାଟ ଦେଇ କାଠଯୋଡ଼ି ନଦୀ ପଠା ପର୍ଯ୍ୟନ୍ତ ଯାଇଥିଲେ ସେହି ରାସ୍ତା ଦେଇ ଆସନ୍ତାକାଲି ଏକ ବିରାଟ ପଟୁଆର ଯାତ୍ରା କରିବ । ଏଥିରେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରୁଥିବା ବିଭିନ୍ନ ପ୍ରକାର ପ୍ରତିକୃତି ବା ପ୍ରଜ୍ଞାପନ ମେଢ ମଧ୍ୟ ବାହାରିବ । ଏହି ଶୋଭା ଯାତ୍ରାରେ ସ୍ବାଧୀନତା ସଂଗ୍ରୀମୀଙ୍କ ସହ କଟକ ସହରର ସାଧାରଣ ଲୋକେ ଓ ପୂଜା କମିଟି ଗୁଡ଼ିକ ମଧ୍ୟ ଭାଗ ନେଉଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶସାନ ମଧ୍ୟ ନିଜ ପ୍ରସ୍ତୁତି ଶେଷ କରିଛି ।