କଟକ: ରାଜ୍ୟରେ ଗଣେଶ ପୂଜା ନେଇ ଖୁସିର ବାତାବରଣ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କଟକ ଜିଲ୍ଲା ନରାଜ ଅଞ୍ଚଳରେ ଗଣେଶ ପୂଜା ବେଳେ ଏକ ବଡ ଅଘଟଣ ଘଟିଯାଇଛି । କଟକ ନରାଜ ପାଖ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ଟ୍ରାକ୍ଟରରେ ଗଣେଶ ପୂଜା ପାଇଁ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ 4 ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୃତକ ଜଣକ ହେଲେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ରୋହନ ଭଗବାନ ସାୱେଲ। ତାଙ୍କ ପରିବାର ଲୋକେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ରହିଛି ।ନରାଜର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମଏସି ପଢୁଥିଲେ ।
ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି କଟକ ମେୟର ସୁବାସ ସିଂ। ଆହତମାନଙ୍କୁ ହସ୍ପିଟାଲରେ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଛନ୍ତି ସୁବାସ ସିଂ। ତେବେ ଗଣେଶ ପୂଜା ଆରମ୍ଭରୁ ଏତେବଡ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମେୟର । ବିସର୍ଜନ ସମୟରେ ଅଘଟଣ ଘଟିବା ଶୁଣାଯାଏ ହେଲେ ପୂଜା ଆରମ୍ଭରୁ ଏଭଳି ଅଘଟଣ ମର୍ମାହତ କରିଛି ବୋଲି କହିଛନ୍ତି ମେୟର । ତେବେ ମୃତକଙ୍କ ମୃତ ଦେହ କଟକ ଏସସିବି ବଡ଼ ମେଡିକାଲକୁ ଅଣାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ କିପରି ଠିକଭାବେ ମହାରାଷ୍ଟ୍ର ପଠାଯିବ ସେନେଇ ୟୁନିଭରସିଟି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ ।