ଭୁବନେଶ୍ବର: କେନ୍ଦ୍ରାପଡା ଏସପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ବିଧାନସଭା । ସାମ୍ବାଦିକଙ୍କୁ ସୁରକ୍ଷା ଓ ଏସପି ନୀତିଶେଖରଙ୍କୁ ଗିରଫ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଅଟଳ । ଉଭୟେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହକୁ ଏକ ପ୍ରକାର ଅଚଳ କରି ଦେଇଛନ୍ତି। ଫଳରେ କେବଳ ପ୍ରଶ୍ନକାଳକୁ ବାଦ ଦେଲେ ଅନ୍ୟ କୌଣସି କାର୍ଯ୍ୟ ଚାଲି ପାରିନାହିଁ ।
ସୂଚନା ଅନୁଯାୟୀ ଶୂନ୍ୟକାଳ ଆରମ୍ଭରେ ପ୍ରଥମେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାପରେ ରୁଲିଂ ଦାବି କରି ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ହେଲେ ବାଚସ୍ପତି କିଛି ନ ଶୁଣିବାରୁ ତଳେ ବସି ରହି ସମସ୍ତ ବିଧାୟକ ପ୍ରତିବାଦ କରିଥିଲେ । ଫଳରେ ଗୃହ ସ୍ବାଭାବିକ ହୋଇ ପାରିନଥିଲା ।
ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ବିରୋଧୀ କଂଗ୍ରେସ ସମାନ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ଫଳରେ ଗୃହକୁ 3ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବାଚସ୍ପତିଙ୍କ ରୁଲିଂ ପାଇଁ ଅଡ଼ି ବସିଥିଲେ । ଅନ୍ୟପଟେ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସବୁ ବିଧାୟକ ଏସପିଙ୍କ ଗିରିଫ ଦାବିରେ ମଧ୍ୟ ଧାରଣାରେ ବସିଥିଲେ । ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇ କହିଥିଲେ କି ପାଟଣାଗଡ଼ ବିଧାୟକ ସରୋଜ ମେହେର ମଧ୍ୟ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣାରେ କ୍ଷମା ମାଗିଥିଲେ । ହେଲେ ତାଙ୍କୁ ଜେଲ ଯିବାକୁ ପଡିଲା । ହେଲେ ଏସପି ଏମିତି କ’ଣ ବୋଲି କହି ତାଙ୍କୁ କାହିଁକି ଗିରଫ କରାନଯିବ ବୋଲି ସେ ପ୍ରଶ୍ନ କରିଥିଲେ । ଗୃହ ସ୍ବାଭାବିକ ହୋଇ ପାରି ନଥିବାରୁ ଶୁନ୍ୟକାଳ, ମୁଲତବୀ ଆଲୋଚନା ଓ ଖର୍ଚ୍ଚ ଦାବି ଆଲୋଚନା ବାଧାପ୍ରାପ୍ତ ହୋଇଛି । ବିରୋଧୀ ଏହି ପ୍ରସଙ୍ଗ ଉଠାଇ ଯେମିତି ଶ୍ରେୟ ନେବେ ସେନେଇ ପୁରା ଦମରେ ଲାଗିପଡିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ