ଭୁବନେଶ୍ବର: ସାମୂଦ୍ରିକ ଝଡ ‘ଫନି’କୁ ବିତିଛି ଏକ ମାସ । କିନ୍ତୁ ଏଯାଏଁ ଆକଳନ ହୋଇପାରି ନାହିଁ ବାତ୍ୟାଜନିତ କ୍ଷୟକ୍ଷତି । ବାତ୍ୟାରେ ରାଜ୍ୟର ଅନେକ ଲୋକେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସବୁଠାରୁ ଅଧିକକ୍ଷତି ସହିଛନ୍ତି ବସ୍ତିବାସିନ୍ଦା । ହେଲେ ଦୁଃଖର କଥା କି ଏଯାଏଁ ସେମାନଙ୍କୁ ମିଳିପାରିନାହିଁ ପର୍ଯ୍ୟାପ୍ତ ପରିମାଣର ରିଲିଫ କି କୌଣସି ପ୍ରକାର ସହାୟତା । ଫଳରେ ନିଜ ଅଧିକାର ପାଇବା ଦାବିରେ ମଙ୍ଗଳବାର ବସ୍ତି ସୁରକ୍ଷା ମଞ୍ଚର ସହଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ବସ୍ତିବାସିନ୍ଦା ।
ପାଖାପାଖି 58,467 ପରିବାର ବାତ୍ୟା ଯୋଗୁଁ ନିଜ ଘର ହରାଇଛନ୍ତି । ତେଣେ ରିଲିଫ କୋଡର ବାହାନା କରି ଜମି ପଟ୍ଟା ନଥିବା 4 ଲକ୍ଷ ପରିବାରଙ୍କୁ ସହାୟତାରୁ ବଞ୍ଚିତ ରଖିଛନ୍ତି ସରକାର । ଫଳରେ ଖରା ଓ ବର୍ଷା ସବୁବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେଣୁ ଏଭଳି କିଛି ଅଭିଯୋଗ ନେଇ ବସ୍ତି ସୁରକ୍ଷା ମଞ୍ଚର ନେତୃତ୍ବରେ 13 ଦଫା ଦାବି ନେଇ ଭୁବନେଶ୍ବର ରେଳ ଷ୍ଟେସନରୁ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ବିକ୍ଷୋଭ ଯାତ୍ରାରେ ସାମିଲ ହୋଇଛନ୍ତି ବସ୍ତିବାସିନ୍ଦା ।