ଭୁବନେଶ୍ବର: ପ୍ରଚାରର ଶେଷ ଦିନରେ ମାହୋଲ ସରଗରମ । ଆରୋପ-ପ୍ରତ୍ୟାରୋପ ରାଜନୀତି । ରାଜ୍ୟ ସରକାରଙ୍କ 19 ବର୍ଷ ଶାସନର ହିସାବ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ନିର୍ବାଚନରେ ପୁଣି ବିଜୟୀ ହେଲେ କ’ଣ କରିବେ ନବୀନ, ସେ ନେଇ ମାଗିଛନ୍ତି ଜବାବ । ଏପଟେ ବିଜେପିର ଡବଲ ଇଞ୍ଜିନ ଥିଓରିକୁ କାଉଣ୍ଟର କରିଛି ବିଜେଡି ।
ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ଧର୍ମେନ୍ଦ୍ର କହିଛନ୍ତି ଯେ ରାଜ୍ୟ ସରକାର 19 ବର୍ଷ ମଧ୍ୟରେ କ’ଣ କରିଛନ୍ତି, ତାର ହିସାବ ଦେଉନାହାଁନ୍ତି । ଏପରିକି ଯଦି ଏଥର ବି ବିଜୟୀ ହୁଅନ୍ତି, ଆଗାମୀ 5 ବର୍ଷ ମଧ୍ୟରେ କ’ଣ କରିବେ, ସେନେଇ ମଧ୍ୟ କିଛି ସ୍ପଷ୍ଟ କରିନାହାଁନ୍ତି । ପ୍ରଚାର ଶେଷ ହେବା ପୂର୍ବରୁ ନବୀନ ଏହାର ଉତ୍ତର ରଖିବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ନବୀନ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହୁଅନ୍ତି । ନରେନ୍ଦ୍ର ମୋଦିଙ୍କ ନାଁ ଆଉ ପରିବର୍ତ୍ତନ । ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ ଓଡ଼ିଶା ଆଜି ମାତୃମୃତ୍ୟୁ ହାର, କୁପୋଷଣ ଆଦି କ୍ଷେତ୍ରରେ ତଳଆଡୁ ପ୍ରତିଯୋଗିତା କରୁଛି । ମୁଖ୍ୟମନ୍ତ୍ରୀ ପ୍ରଚାରରେ ସ୍ଲୋଗାନ୍ ଦେଉଛନ୍ତି ‘ଓଡ଼ିଶାର ପରିଚୟ ନବୀନ’ । ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟ କଥା ଉଠାଇ ଧର୍ମେନ୍ଦ୍ର ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି । ୭୦ ଦଶକ ଭଳି ଓଡ଼ିଶାରେ ଏବେ ସ୍ୱେଚ୍ଛାଚାରିତା ଶାସନ ଚାଲିଛି । ଯେତେବେଳେ ପ୍ରଜାତନ୍ତ୍ର ସ୍ୱେଚ୍ଛାଚାରିତା ଶାସନ ଚାଲେ ସିଏ ଭାବେ ଦୁନିଆ ମୋ ଠାରୁ ଆରମ୍ଭ ଆଉ ମୋ ଠାରୁ ଶେଷ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଅନ୍ୟପଟେ ବିଜେପିର ଡବଲ ଇଞ୍ଜିନ ଥିଓରୀକୁ କାଉଣ୍ଟର କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସବୁ କ୍ଷେତ୍ରରେ ଡବଲ ଇଞ୍ଜିନ ଫେଲ ମାରିଛି । ମାତୃ ମୃତ୍ୟ ହାର, ଶିଶୁ ମୃତ୍ୟୁ ହାର, ମନରେଗା, ପକ୍କା ଘର, ମମତା ଯୋଜନା ଇତ୍ୟାଦି ନେଇ ଶତାବ୍ଦୀର ସବୁଠାରୁ ବଡ ମିଛ କହୁଛି ବିଜେପି । ଉତ୍ତରପ୍ରଦେଶ, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶା ବେଶ ଭଲ ପ୍ରଦର୍ଶନ କରିଛି । ଦକ୍ଷତା ବିକାଶ, କୃଷି କର୍ମଣ ପୁରସ୍କାର, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓଡ଼ିଶାର ବିଶେଷ ସଫଳତା । ଯାହାକି ବିଜେପି ଶାସିତ ରାଜ୍ୟ ତୁଳନାରେ ଭଲ ରହିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସଙ୍କ ରିର୍ପୋଟ, ଇଟିଭି ଭାରତ