ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟରେ 18 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବହୁ ଚର୍ଚ୍ଚିତ ପାରାଦ୍ବୀପ ଆସନରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ମିଳିଛି । ଆଉ ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ ଦାମଙ୍କୁ ଅଡୁଆରେ ପକାଇଛି । ଏପଟେ ପୁଅ, ସେପଟେ ଦଳ । ସ୍ବାଭିମାନୀ ନେତାଙ୍କ ପକ୍ଷରେ କିଏ ଆଗ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
2009 ଆଉ 2014 ନିର୍ବାଚନରେ ଏହି ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ଦାମୋଦର ରାଉତ । ହେଲେ ସେ ବିଜେଡିରୁ ବହିଷ୍କାର ହେବାପରେ ବିଜେପିରେ ସାମିଲ ହୋଇଛନ୍ତି । ଆଉ ବିଜେପିରେ ସାମିଲ ହେଉହେଉ ବାଲିକୁଦା-ଏରସମା ଆସନରୁ ପ୍ରାର୍ଥୀ ହେବା ପାଇଁ ମନ ବଳାଇଥିଲେ ଦାମ । ତାଙ୍କ ଏହି ନିଷ୍ପତ୍ତି ନିଜ ପୁଅ ପାଇଁ ପଥ ପରିଷ୍କାର କରିଥିବା ଚର୍ଚ୍ଚା ହୋଇଥିଲା । ସେପଟେ ବିଜେପି ମଧ୍ୟ ଦାମଙ୍କ ଇଚ୍ଛା ମୁତାବକ ବାଲିକୁଦା-ଏରସମାରୁ ଦାମଙ୍କୁ ପ୍ରାର୍ଥୀ କରିଛି ।
ହୁଏତ ଚର୍ଚ୍ଚା ମୁତାବକ, ଦାମ ନିଜ ପୁଅ ପାଇଁ ପଥ ପରିଷ୍କାର କରିବାକୁ ଏଭଳି ନିଷ୍ପତ୍ତି ନେଇଥିବେ । ଆଉ ନବୀନ ବି ଦାମଙ୍କ ପ୍ଲାନରେ ହିଁ ତାଙ୍କ ମୁହଁବନ୍ଦ କରିବାକୁ ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ । ପାରାଦ୍ବୀପରୁ ବିଜେଡି ପ୍ରାର୍ଥୀ ସମ୍ବିତ୍ । ଅର୍ଥାତ ଏହି ଆସନରେ ବିଜେଡି ବିରୋଧରେ ଦାମ ଯେପରି ପଦୁଟିଏ ବି କହିପାରିବେ ନାହିଁ । ସ୍ବାଭିମାନୀ ନେତା ବୋଲାଉଥିବା ଦାମଙ୍କ ମୁହଁବନ୍ଦ ପାଇଁ ନବୀନଙ୍କ ଏହା ହେଉଛି ବେଷ୍ଟ ପ୍ଲାନ ।