ଭୁବନେଶ୍ବର: ଏପ୍ରିଲ 23 ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତାକାଲି ରାଜ୍ୟର ଯେଉଁ ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବାକୁ ଯାଉଛି, ସେଠାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଏ ପ୍ରସଙ୍ଗରେ ଉଭୟ ବିଜେପି ଏବଂ କଂଗ୍ରେସ, ବିଜେଡିକୁ ଟାର୍ଗେଟ କରିଛନ୍ତି।
ଗତକାଲି ରାତିରେ ପୁରୀର ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲା । ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ର ସଦସ୍ୟଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବିନାରାୟଣ ଅଭିଯୋଗ କରିଛନ୍ତି ।