ଓଡିଶା

odisha

ETV Bharat / state

ମହାରଥୀଙ୍କୁ ଭାରି ବାଧିଛି ମନ୍ତ୍ରୀଙ୍କ କଥା: ଉପାସ ଥିବା କହିଲେ, କଟାକ୍ଷ କଲେ ପ୍ରମିଳା - ମନ୍ତ୍ରୀ ନିରଞ୍ଜନ ପୂଜାରୀ

ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆରୋପରେ ଭାବ ପ୍ରବଣ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ଦୀର୍ଘ 40 ବର୍ଷର ରାଜନୈତିକ କ୍ୟାରିୟରେ ଏପରି ବ୍ୟବହାର କରାଯାଇନଥିବା ସେ କହିଛନ୍ତି । ଏହା ତାଙ୍କୁ ଗଭୀର ଭାବରେ ମର୍ମାହତ କରିଥିବା କହିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Jul 18, 2019, 4:03 PM IST

ଭୁବନେଶ୍ୱର: ଗୃହରେ ଭାବପ୍ରବଣ ହେଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ । ଯାତ୍ରା ମହାରଥୀଙ୍କ ଭାବପ୍ରବଣତା ପୁରା ଗୃହର ଦୃଷ୍ଟି ଆକର୍ଷଣ କରିଥିଲା । ଗତକାଲି ପ୍ରଶ୍ନକାଳରେ ଉଦ୍ଦେଶ୍ୟ ମୂଳକ ଭାବେ ସମାଲୋଚନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯାହା ଖୁବ ବାଧିଛି ମହାରଥୀଙ୍କୁ । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି, କାଲିଠାରୁ ଓପାସ ଅଛନ୍ତି । ଏନେଇ କ୍ଷୋଭ ପ୍ରକାଶ କରିବା ସହ 40 ବର୍ଷର ରାଜନୈତିକ କ୍ୟାରିୟରେ ଏପରି ବ୍ୟବହାର କରାଯାଇନଥିବା ସେ କହିଛନ୍ତି ।


ସୂଚନା ଅନୁସାରେ ଗତକାଲି ଗୃହରେ ଶୀତଳ ଭଣ୍ଡାର ଓ ଆଳୁ ମିଶନ ମହାରଥୀଙ୍କ ସମୟରେ ଫେଲ୍‌ ହୋଇଥିବା କହିଥିଲେ ନିରଞ୍ଜନ ପୂଜାରୀ । ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ୱ କାଳରେ ୮୦ ଟି ଶୀତଳ ଭଣ୍ଡାରବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪୮ ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି ।

ଏହା ଭୁଲ ତଥ୍ୟ । ମହାରଥୀ କହିଛନ୍ତି ସେ ଆସିବା ବେଳେ ଶୀତଳ ଭଣ୍ଡାର ସଂଖ୍ୟା ୨୪ରେ ଥିଲା । ହେଲେ ତାହା ଏବେ ୪୮କୁ ବୃଦ୍ଧି ପାଇଛି । ତାଙ୍କ ସମୟରେ ରାଜ୍ୟକୁ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛି ବୋଲି ମହାରଥୀ ଦୋହରାଇଛନ୍ତି ଏହାସହ ଅଳୁ ମିଶନ ଓ ଶୀତଳ ଭଣ୍ଡାର ମାମଲାରେ ନିଜ ପକ୍ଷ ମଧ୍ୟ ରଖିଛନ୍ତି । ମନ୍ତ୍ରୀଙ୍କ ଆକ୍ଷେପକୁ ବିବରଣୀରୁ ବାଦ୍ ଦେବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଏପଟେ ମହାରଥୀ ଓ ନିରଞ୍ଜନଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମହାରଥୀଙ୍କ କହିବା ଷ୍ଟାଇଲ୍ ସେହିଭଳି ବୋଲି ସେ କହିଛନ୍ତି । ଯାତ୍ରା ପାର୍ଟି ଡାଇଲଗ୍ ଭଳି ତାଙ୍କ କଥା ବୋଲି ସେ କହିଛନ୍ତି । ସେ ଜଣେ ଡାଇବେଟିସ୍ ରୋଗୀ କାଲିଠୁ ନ ଖାଇ କେମିତି ବିଧାନସଭା ଆସିଛନ୍ତି କଟାକ୍ଷ ଛଳରେ କହିଛନ୍ତି ।

ପ୍ରମିଳାଙ୍କ ବୟାନ ପରେ ସେ କେବେଠୁ ଡାକ୍ତରାଣୀ ହେଲେ ବୋଲି ପ୍ରଶ୍ନ କଲେ ମହାରଥୀ । ଏହାସହ ମୋ ମୁହଁ କେହି ବନ୍ଦ କରିପାରିବେନି, ୪୦ ବର୍ଷ ହେଲା କହୁଛି ବୋଲି ଶାଣିତ ସ୍ବରରେ କହିଛନ୍ତି । ଶେଷରେ ପ୍ରମିଳା ବଡ ଭଉଣୀ କହି ସମସ୍ତ ପ୍ରଶ୍ନକୁ ଏଡାଇଦେଇଛନ୍ତି ମହାରଥୀ ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details