ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର ଭୁବନେଶ୍ବର: ରାଜଧାନୀରେ ବଢୁଛି ନିଶା ବେପାର ଆଉ ମାଲାମାଲ ହେଉଛନ୍ତି ବେପାରୀ। ବେଧଡକ ଚାଲୁଛି ବ୍ରାଉନସୁଗାର କାରବାର। ବାରମ୍ବାର ରେଡ ପରେ ଚେତୁନାହାଁନ୍ତି ବେପାରୀ। ଜେଲଦଣ୍ଡ ପରେ ବି ନିଜର ସହଯୋଗୀଙ୍କ ଜରିଆରେ ବ୍ରାଉନସୁଗାର କାରବାର କରୁଛନ୍ତି ବ୍ୟବସାୟୀ। କମ ପରିଶ୍ରମରେ ଅଧିକ ଲାଭବାନ ନିଶାରେ ଏପରି କାମରେ ନିୟୋଜିତ କରି ଧରାପଡିଛି ଏବେ ଲେଡି ବ୍ରାଉନସୁଗାର ଡିଲର।
ଏହି ଲେଡି ଡିଲରର ନାଁ ହେଉଛି ସୁକାନ୍ତି ବେଉରା ଓ ସ୍ବାମୀ ରମେଶ ବେଉରା। ଘର ନନ୍ଦନକାନନ ଥାନା ପୋଡସାହି। ତେବେ ସୁକାନ୍ତିଙ୍କ ସ୍ବାମୀ ମଧ୍ୟ ଏହି କାରବାରରେ ଅବକାରୀ ଟିମ ଦ୍ବାରା ଗିରଫ ହୋଇ ଦଣ୍ଡ ଭୋଗୁଥିବା ବେଳେ ସ୍ତ୍ରୀ ସମ୍ଭାଳୁଥିଲା ବେପାର। ଗ୍ରାହକଙ୍କ ଚାହିଦା ମୁତାବକ ଘରେ ଘରେ ପହଞ୍ଚାଉଥିଲେ ବ୍ରାଉନସୁଗାର। ଏଥିପାଇଁ ବିଗତ କିଛି ଦିନ ହେବ କିଣିଥିଲେ ହୋଣ୍ଡା ଡିଓ ଗାଡି।
କୋଡ ୱାର୍ଡରେ ଗ୍ରାହାକଙ୍କ ଅର୍ଡର ରଖି ଡେଲିଭରୀ କରୁଥିଲେ ବ୍ରାଉନସୁଗାର। କେତେବେଳେ ସିମକାର୍ଡ ତ କେତେବେଳେ ପାଓ, ଗୁଡି, ପତା, ରସୁଣ ଭଳି କୋଡ ଓାର୍ଡ ଶୁଣିଲେ ତୁରନ୍ତ ବ୍ରାଉନସୁଗାର ଧରି ଧାଉଁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ନନ୍ଦନକାନନ ଇଲାକାରେ ଥିଲେ ସୁକାନ୍ତି ବ୍ରାଉନସୁଗାରର ଲେଡି ଡିଲର।
ହେଲେ ଖବର ପାଇ ନନ୍ଦନକାନନ ଥାନା ବିଛାଇଥିଲା ଜାଲ । ବଡ ଡିଲ୍ ବାହାନାରେ ଡକାଇ ରାସ୍ତାରେ ଯାଉଥିବା ସମୟରେ ଗିରଫ କରିଥିଲା କମିଶନରେଟ ପୋଲିସ। ୧୨ ଗ୍ରାମ ବ୍ରାଉନସୁଗାର ସହ ସୁକାନ୍ତିକୁ ଗିରଫ କରିଥିଲା କମିଶନରେଟ ପୋଲିସ। ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ। ଏନେଇ ସୁକାନ୍ତି କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ହୋଣ୍ଡା ଡିଓ ଗାଡି ଜବତ ସହ ଏନଡିପିଏସ ଆକ୍ଟରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ