ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସିଯାଇଛି 2019 ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ । ଏକକ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜୁ ଜନତା ଦଳ(ବିଜେଡି) ।
ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଖାଇବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଆଉ ଦିନକ ପରେ ଅର୍ଥାତ ମେ 29ରେ ଅନୁଷ୍ଠିତ ହେବାକୁ ଯାଉଛି ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ଆଉ ଏଥିପାଇଁ ରାଜଧାନୀର ପ୍ରଦର୍ଶନୀ ପଡ଼ିଆଠାରେ ଏକ ବଡ ଧରଣର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।