ଓଡିଶା

odisha

ETV Bharat / state

ପଦ୍ମ ଧରି ଶଙ୍ଖକୁ ଟାର୍ଗେଟ କଲେ ଦାମ - ବିଜେଡି

ଦିଲ୍ଲୀରେ ଆୟୋଜିତ ଦଳୀୟ ସମାବେଶରେ ବିଜେପିରେ ଯୋଗ ଦେବା ପରେ ଶୁକ୍ରବାର ଭୁବନେଶ୍ବର ଫେରିଛନ୍ତି ଡ଼ଃ ଦାମୋଦର ରାଉତ । ନୂଆ ଦଳରେ ସାମିଲ ହେବା ପରେ ପ୍ରତିକ୍ରିୟା ଦେବାକୁ ଯାଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ଦାମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 16, 2019, 12:18 AM IST

ଭୁବନେଶ୍ବର: ଦିଲ୍ଲୀରେ ଆୟୋଜିତ ଦଳୀୟ ସମାବେଶରେ ବିଜେପିରେ ଯୋଗ ଦେବା ପରେ ଶୁକ୍ରବାର ଭୁବନେଶ୍ବର ଫେରିଛନ୍ତି ଡ଼ଃ ଦାମୋଦର ରାଉତ । ନୂଆ ଦଳରେ ସାମିଲ ହେବା ପରେ ପ୍ରତିକ୍ରିୟା ଦେବାକୁ ଯାଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ଦାମ । ତାଙ୍କ କହିବା ଅନୁଯାୟୀ ନବୀନଙ୍କ ପାଖ ଲୋକେ ନିଜ ବେପାରକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଏଥିସହ ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଥିବାରୁ ଓଡିଶାର ମହିଳାମାନେ ଅଧିକ ଅସୁରକ୍ଷିତ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ଦାମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ରାଜ୍ୟ ସରକାରଙ୍କ ନଜର ଆଢୁଆଳରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ କହିଥିବାରୁ ତାଙ୍କୁ ଦଳରୁ ବାହାର କରାଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଆହୁରି କିଛି ବରିଷ୍ଠ ନେତା ମଧ୍ୟ ବିଜେପିରେ ମିଶିବା ନେଇ ସେ ଗଣମାଧ୍ୟମକୁ ସଙ୍କେତ ଦେଇଛନ୍ତି । ଦଳରେ ବିନା ସ୍ବାର୍ଥରେ ମିଶିବା ସହ ଦଳ ଯେଉଁଠି କହିବ ସେଠାରେ ନିର୍ବାଚନ ଲଢ଼ିବେ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଗୁରୁବାର ଦିଲ୍ଲୀରେ ଥିବା ବିଜେପି ପାର୍ଟି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବା ପରେ ଶୁକ୍ରବାର ସକାଳ ୧୦ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ଦାମ । ତେବେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦର ବାହାରେ ଶହ ଶହ ପ୍ରଶଂସକ ପହଞ୍ଚି ବିଭିନ୍ନ ନାରା ଲଗାଇଥିଲେ ।

ଓଡିଶାରେ ଭବ୍ୟ ସ୍ବାଗତ ପାଇବା ପରେ ସେ ବିମାନ ବନ୍ଦରରୁ ବାହାରି ସିଧାସଳଖ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ କର୍ମୀମାନେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଯେଉଁଠାରେ ଦାମଙ୍କୁ ସ୍ବାଗତ କରିବା ପାଇଁ ଉପସ୍ଥିତ ଥିଲେ ଜୁଏଲ ଓରାମ, ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା ଓ ରାଧାରାଣୀ ପଣ୍ଡା ପ୍ରମୁଖ ବରିଷ୍ଠ ବିଜେପି ନେତା ।

ତେବେ ଏହି ମିଶ୍ରଣ ସହ ବର୍ତ୍ତମାନ ପରିବର୍ତ୍ତନର ସୂର୍ଯ୍ୟ ଉଦୟ ହୋଇଛି ବୋଲି ପ୍ରକାଶ କରିଥିଲେ ଦାମ । କେବଳ ସେତିକି ନୁହେଁ ଏହି ପରିବର୍ତ୍ତନର ସ୍ବରକୁ ଶାଣିତ କରି ପାପର ଧ୍ବଂସ କରିବା ସହ ସ୍ବରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରାଜ୍ୟ ମହିଳାମାନଙ୍କୁ ନିବେଦନ କରିଛନ୍ତି ଦାମ । ଅନ୍ୟପଟେ ବିଜେପି କାର୍ଯ୍ୟାଳୟରେ ଯୋଗ ଦେଇଥିବା ସମୟରେ ବହୁ ସଂଖ୍ୟାରେ ଲୋକମାନେ ତାଙ୍କ ସହ ଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ପାରାଦ୍ବୀପ ନିର୍ବାଚନୀ ମଣ୍ଡଳୀରୁ ଆସିଥିବା ସମସ୍ତ ଜନତାଙ୍କୁ ସାଧୁବାଦ ଜଣାଇଛନ୍ତି ଦାମ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details