ଭୁବନେଶ୍ବର: ଯେତେବେଳ ଜଣେ ବରିଷ୍ଠ ନେତା ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରନ୍ତି, ସେତେବେଳେ ତାଙ୍କର ପ୍ରଭାବକୁ ନେଇ ଚର୍ଚ୍ଚା ହେବା ସ୍ବଭାବିକ । କିଛି ନେତାଙ୍କ କ୍ଷେତ୍ରରେ ଦୀର୍ଘ ସମୟ ପରେ ଯାଇ ପ୍ରଭାବ ଜଣାପଡୁଥିବା ବେଳେ ଆଉ କିଛି ନେତାଙ୍କ କ୍ଷେତ୍ରରେ ଖୁବଶୀଘ୍ର ବାରି ହୋଇଯାଏ । ଠିକ ଯେପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବିଜେଡି ଛାଡିଥିଲେ, ବିଜେପିରେ ମିଶିଲେ । ଆସୁଆସୁ ନିଜସ୍ବ ନାରାକୁ ବିଜେପି ନେତା ଓ କର୍ମୀଙ୍କ ମୁହଁରେ ବୋଲାଇବାରେ ସଫଳ ହେଲେ ଜୟ ପଣ୍ଡା ।
ଏବେ 'ହେଉଯାଉ' କେବଳ ବୈଜୟନ୍ତଙ୍କ ନାରା ନୁହେଁ, ଓଡିଶା ବିଜେପିର । ବିଜେପିର ଅନ୍ୟ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିବ ଏହି ନାରା । ଆଉ ବୈଜୟନ୍ତଙ୍କ 'ହେଇଯାଉ'କୁ 'ହେଇଗଲା'ରେ ପରିବର୍ତ୍ତନ କରିବା ପାଇଁ ବିଜେପି କର୍ମୀ ବି ପୁରା ପ୍ରସ୍ତୁତ । ସାଧାରଣତଃ ଦେଖାଯାଏ ଯେ ଦଳବଦଳ କରି ଆସିଥିବା ନେତାଙ୍କୁ କର୍ମୀ ସହଜରେ ଗ୍ରହଣ କରିପାରନ୍ତିନି । ହେଲେ ବୈଜୟନ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏହାର ପୁରା ବ୍ୟତିକ୍ରମ । କେବଳ ଜୟ ପଣ୍ଡା ଗେରୁଆ ବସ୍ତ୍ରରେ ରଙ୍ଗୀନ ହୋଇନାହାନ୍ତି, ବିଜେପି କର୍ମୀ ବି ବୈଜୟନ୍ତଙ୍କ ନାରାକୁ ଅତି ସହଜରେ ଗ୍ରହଣ କରିନେଇଛନ୍ତି । ନାରାକୁ ସଫଳ କରିବା ପାଇଁ ଆଗଭର ଥିବା ଜଣାପଡୁଥିଲା ।