ଓଡିଶା

odisha

ETV Bharat / state

ଯଦି ଏକଜିଟ ଏକଜ୍ୟାକ୍ଟ ହୁଏ...

ଚମକାଇ ଦେଇଛି ଏକଜିଟ ପୋଲ । ହଜିଯାଇଛି ନେତାଙ୍କ ନିଦ । ଧଡଧଡ ଛାତି । ଏକଜିଟକୁ exact ମାନିବାରେ ନାରାଜ ଆମ ନେତାଏ । ତଥାପି ବି ପ୍ରଶ୍ନ ଉଠୁଛି, ଯଦି ଏକଜିଟ ସତ ହୋଇଯାଏ, ତେବେ କେମିତି ରହିବ ରାଜ୍ୟ ରାଜନୀତି ।

By

Published : May 20, 2019, 1:07 PM IST

Updated : May 20, 2019, 1:15 PM IST

ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha

ଭୁବନେଶ୍ବର: ଏକଜିଟ ପୋଲ exact ନୁହେଁ । ବେଳେବେଳେ ଏକଜିଟ ଆଉ exact ଭିତରେ ଆକାଶ ପାତାଳ ତଫାତ ରହିଥିବା ନଜିର ରହିଛି । ଠିକ ଯେପରି 2004 ଓ 2009 ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପୂର୍ବାନୁମାନ । ହେଲେ ଅନେକ ସମୟରେ ସତ ବି ହୋଇଥାଏ ଏକଜିଟ ପୋଲ । ଯେଉଁଥି ପାଇଁ ପ୍ରଶ୍ନ ଉଠୁଛି, ଯଦି ଏକଜିଟ exact ହୁଏ....

ରାଜ୍ୟ ରାଜନୀତିକୁ ପୁରା ଚମକାଇ ଦେଇଛି ଏକଜିଟ ପୋଲ । ଦେଶରେ ଯେମିତି ଏନଡିଏକୁ ବହୁମତ ମିଳିବା ନେଇ ରିପୋର୍ଟ କହୁଛି, ଠିକ ସେହିପରି ରାଜ୍ୟରେ ମଧ୍ୟ ନବୀନ ହିଁ ପୁଣିଥରେ ସରକାର ଗଢିପାରନ୍ତି । ବିଭିନ୍ନ ସଂସ୍ଥାର ରିପୋର୍ଟ ମୁତାବକ, ବିଧାନସଭାରେ ପୁଣି ଶଙ୍ଖ । 2014 ଅପେକ୍ଷା ଆସନ କମିବ, ହେଲେ ବହୁମତ ମିଳିବ । ହୁଏତ ଲୋକସଭାରେ ଦଳ ଆଗ ଅପେକ୍ଷା ବିପର୍ଯ୍ୟୟର ସାମ୍ନା କରିପାରେ । 10ରୁ 12 ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିପାରେ । 2014ରେ ମାତ୍ର ସୁନ୍ଦରଗଡ ଲୋକସଭା ଆସନ ଅକ୍ତିଆର କରିଥିବା ବିଜେପି ଏଥର ଦୁଇଅଙ୍କ ଛୁଇଁପାରେ । ଚର୍ଚ୍ଚା ହେବା ସ୍ବାଭାବିକ ଯେ ଯଦି ଏପରି ହୁଏ, ତେବେ କ’ଣ ହେବ ।

ଦୀର୍ଘ 19 ବର୍ଷର ଶାସନ ପରେ ସରକାର ବିରୋଧୀ ହାୱା ଆସିବା ଏକ ସ୍ବାଭିବାକ କଥା । ଏହା ସତ୍ତ୍ବେ ବି ଯଦି ବିଜେଡିର ଆସନ କମୁଛି ମାତ୍ର ବହୁମତ ମିଳୁଛି(ଗୁଜୁରାଟ ପରି), ତେବେ ଏହାକୁ ବିପର୍ଯ୍ୟୟ କୁହାଯାଇପାରିବ ନାହିଁ । ଓଡିଶା ରାଜନୀତିରେ ନବୀନ ପଟ୍ଟନାୟକ ଏକ ଅପ୍ରତୀଦ୍ବନ୍ଦି ନେତା ହୋଇ ରହିବେ । ବିଧାନସଭାରେ ବିରୋଧୀଙ୍କ ସ୍ଥାନ ପରିବର୍ତ୍ତନ ହୋଇପାରେ, ହେଲେ ନବୀନ ସବୁବେଳେ ଧାଡିର ଆଗରେ ହିଁ ବୋଲି ସ୍ପଷ୍ଟ ହୋଇଯିବ ।

ହଁ, ବିଧାନସଭାରେ ବିରୋଧୀଙ୍କ ସଂଖ୍ୟା ଟିକେ ଅଧିକ ହୋଇଯିବ । ହେଲେ ତାର ପ୍ରଭାବ କିଛି ନପଡିଲା ପରି ମନେ ହେଉଛି । କାହିଁକି ନା ବିଧାନସଭାରେ ହଙ୍ଗାମା କରିବା ପାଇଁ ଆମର 3ରୁ 4 ଜଣ ବିରୋଧୀ ବିଧାୟକ କାଫି । 2014ରୁ 19 ଭିତରେ ଆମେ ଦେଖିଛେ, ଅଳ୍ପସଂଖ୍ୟକ ବିଧାୟକ ଥାଇ ସୁଦ୍ଧା ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡିଛି । କିଛି ଅଧିକ ବିରୋଧୀ ବିଧାୟକ ହୋଇଗଲେ ଯେ ଆଉ କିଛି ଅଧିକା ଦେଖିବାକୁ ମିଳିବ, ସେମିତି ବି ମନେ ହେଉନାହିଁ । ବିଧାନସଭାକୁ କମ୍ପାଇବା ପାଇଁ କଂଗ୍ରେସର ତାରାପ୍ରସାଦ ବାହିନୀପତି (ଭାଲୁ ଭାଇ) କିମ୍ବା ବିଜେପିର ପ୍ରଦୀପ ପୁରୋହିତଙ୍କ ଭଳି ଜଣେ ଜଣେ ବିରୋଧୀ ବିଧାୟକକୁ ନିଅଣ୍ଟ ।

19 ବର୍ଷର ଅପାରଗ ଶାସନ । ନିର୍ବାଚନୀ ବର୍ଷରେ ବିରୋଧୀଙ୍କ ମୁହଁରେ ଏ ଗୋଟିଏ କଥା ଥିଲା । ହେଲେ ଏବେ ଏ ସଂଳାପର expiry date ଆହୁରି ଆଗକୁ ବଢିବ । 2024 ପର୍ଯ୍ୟନ୍ତ ଛୁଇଁବ । କିନ୍ତୁ ନବୀନ ଯେ ଓଡିଆଙ୍କ ହୃଦୟର ରାଜା, ଏକଥାକୁ ଭୁଲ ପ୍ରମାଣିତ କରିବାରେ ବିରୋଧୀ ଫେଲ ବୋଲି ଧରାଯିବ । ଆଗାମୀ ଦିନରେ ନବୀନଙ୍କ ଷ୍ଟ୍ରାଟେଜିକୁ ବିରୋଧୀ ବି ଗ୍ରହଣ କରିବାକୁ ବାଧ୍ୟ ହେବେ ।

ଅନ୍ୟଏକ ଚର୍ଚ୍ଚା ହେଲା , ବିଜେଡିର ଲୋକସଭା ଆସନ କମୁଥିବାରୁ ଜାତୀୟ ରାଜନୀତିରେ ନବୀନଙ୍କ ଦବଦବା ରହିବ ନାହିଁ । କିନ୍ତୁ ଏହା ସତ ଯେ ନବୀନ ସବୁବେଳେ ସମଦୂରତା ଫଣ୍ଡାକୁ ଉଚିତ ମନେକରି ଆସିଛନ୍ତି । 2009ରେ ଏନଡିଏରୁ ଓହରିବା ପରେ ୟୁପିଏ ଆଡକୁ ଢଳିନଥିଲେ ନବୀନ । 2014ରେ ଯଦିଓ ବିଜେପିକୁ କେନ୍ଦ୍ରରେ ବହୁମତ ମିଳିଥିଲା, ନବୀନ ଚାହିଁଥିଲେ ଜାତୀୟ ରାଜନୀତିରେ ଦବଦବା ଦେଖାଇପାରିଥାନ୍ତେ । କିନ୍ତୁ ନବୀନ ଭଲଭାବରେ ବୁଝିଛନ୍ତି, ଓଡିଶା ପାଇଁ ତାଙ୍କର ବଡ ମୁଦ୍ଦା କେନ୍ଦ୍ରୀୟ ଅବହେଳା । ତେଣୁ ଏ ଚର୍ଚ୍ଚା ମଧ୍ୟ ସେତେ ଯୁକ୍ତିଯୁକ୍ତ ମନେ ହେଉନାହିଁ ।

କିନ୍ତୁ ଏକଥା କୁହାଯାଇପାରିବ, ଓଡିଶାରେ 120 ପ୍ଲସ ନାରା ଦେଇଥିବା ଶାହ ସଫଳ ବୋଲି ଧରାଯିବ । ଚତୁର ଶାହ 120 ପ୍ଲସ ନାରା ଦେଇ ବିଜେଡିକୁ ବିଧାନସଭା ପାଇଁ ବେଶି ଫୋକସ କରିବାକୁ ବାଧ୍ୟ କରିଦେଲେ । ଅନ୍ୟପଟେ 10ରୁ 12 ଲୋକସଭା ଆସନ ଚୋରି କରିନେଲେ ବୋଲି ଧରାଯିବ । କାହିଁକି ନା ବିଧାନସଭା ପାଇଁ ଗୋଟିଏ ଦଳ ଏବଂ ଲୋକସଭା ପାଇଁ ଅନ୍ୟ ଏକ ଦଳକୁ ଚୟନ କରିବା ଭଳି ଏକ ପରିବେଶ ସୃଷ୍ଟି କରିବା କିଛି କମ କଥା ନୁହେଁ ।

Last Updated : May 20, 2019, 1:15 PM IST

ABOUT THE AUTHOR

...view details