ETV Bharat Odisha

ଓଡିଶା

odisha

ETV Bharat / state

ସାଥି ଥିଲେ, ସ୍ବର ଥିଲା; ବଦଳି ଯାଇଥିଲେ ସେନାପତି - assembly

ଷୋଡଶ ବିଧାନସଭାରେ ଭୁପିନ୍ଦର ସିଂହ । ଶାସକ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ । ସାଥି ଥିଲେ, ସ୍ବର ବି ଥିଲା । ହେଲେ ବଦଳି ଯାଇଥିଲେ ସେନାପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 26, 2019, 12:32 AM IST

ଭୁବନେଶ୍ବର: ପାଞ୍ଚବର୍ଷର ବ୍ୟବଧାନ ପରେ ବିଧାନସଭାକୁ ପୁଣି ଏଣ୍ଟ୍ରି ମାରିଛନ୍ତି ଭୁପିନ୍ଦର ସିଂହ । ହେଲେ ଆଜିର ଭୁପିନ୍ଦରଙ୍କୁ ଦେଖିଲେ ଲାଗୁଥିଲା, ଇଏ ସେହି ଭୁପିନ୍ଦର ନୁହଁନ୍ତି । ଦିନେ ଯାହାଙ୍କ ଇସାରାରେ କମ୍ପୁଥିଲା ବିଧାନସଭା, ଆଜି ସିଏ ମୌନ ମୁଦ୍ରାରେ । ପୂର୍ବର ସାଥୀ ବିଧାୟକ ଗୃହରେ ହଟ୍ଟଗୋଳ କରୁଥିଲେ ସତ, ହେଲେ ସେଦିନର ସେନାପତି ଆଜି ପାଲଟିଯାଇଥିଲେ ଶାସକ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ।

ନର୍ଲା ବିଧାୟକ ଭୁପିନ୍ଦର ସିଂହ । 2009ରୁ 2014, ଓଡିଶାର ବିରୋଧୀ ଦଳ ନେତା ଭାବରେ ଦାୟିତ୍ବ ତୁଲାଇଥିଲେ ଭୁପିନ୍ଦର । ଇସାରା ଦେଉଥିଲା ନର୍ଲା, ଉଠୁଥିଲା ପଡୁଥିଲା ଓଡିଶା ବିଧାନସଭା । ସିଏ ତାରାପ୍ରସାଦ ବାହିନୀପତି ହୁଅନ୍ତୁ ବା ସନ୍ତୋଷ ସିଂହ ସାଲୁଜା, ଭୁପିନ୍ଦରଙ୍କ ଇସାରାରେ କମ୍ପାଉଥିଲେ ବିଧାନସଭା । ଆଦି ବି ସେହି ତାରାପ୍ରସାଦ ବାହିନୀପତି ଥିଲେ । ସାଲୁଜା ବି ଥିଲେ । ଏମାନଙ୍କ ଭିତରେ ସୁର ରାଉତରାୟ ବି ମିଶି ଯାଇଥିଲେ । ବାଚସ୍ପତିଙ୍କ ପୋଡିୟମରେ ଗର୍ଜୁଥିଲା କଂଗ୍ରେସ । ହେଲେ ଇସାରା ଦେଉଥିବା ବ୍ୟକ୍ତି ବଦଳି ଯାଇଥିଲେ । ଦୃଶ୍ୟ ଥିଲା ବେଶ ନିଆରା ।

ବିରୋଧୀ ଦଳ ନେତା ଥିବା ଭୁପିନ୍ଦର 2014 ନିର୍ବାଚନ ପୂର୍ବରୁ ହଠାତ କଂଗ୍ରେସ ଛାଡି ଶଙ୍ଖ ଧରନ୍ତି । ରାଜ୍ୟସଭାକୁ ଯାଆନ୍ତି । ନବୀନ ସରକାର ବିରୋଧରେ ସ୍ବରକୁ ଶାଣିତ କରିଥିବା ଭୁପିନ୍ଦର ଯେ ଦିନେ ଏପରି ନିଷ୍ପତ୍ତି ନେବେ, ହୁଏତ ସେ ସମୟରେ ଓଡିଶାବାସୀ ବିଶ୍ବାସ କରିପାରିନଥିବେ । ଭୁପିନ୍ଦର ମଧ୍ୟ ଗୋଟିଏ ପ୍ରକାର ଗଣମାଧ୍ୟମ ସାମ୍ନାରୁ ଦୂରେଇ ରହୁଥିଲେ । ହେଲେ 2019ରେ ନର୍ଲାରୁ ବିଜେଡି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ।

ବ୍ୟବଧାନ ପାଞ୍ଚବର୍ଷର । ଚତୁର୍ଦ୍ଦଶ ବିଧାନସଭାରୁ ଷୋଡଶ ବିଧାନସଭା । ବଦଳି ଯାଇଛନ୍ତି ସେନାପତି । ଆଜି କଂଗ୍ରେସ ବିଧାୟକଙ୍କୁ ଇସାରା ଦେଉଥାନ୍ତି ନରସିଂହ । ମଇଦାନରେ ଗର୍ଜୁଥାନ୍ତା ସୁର, ସାଲୁଜା ଏବଂ ତାରା । ଏପଟେ କିନ୍ତୁ ମୌନ ମୁଦ୍ରାରେ ରହିଥାନ୍ତି ଭୁପିନ୍ଦର । ଲାଗୁଥାଏ, ବୋଧେ କିଛି ସମୟ ପାଇଁ ପଛକୁ ଫେରିଯାଇଛନ୍ତି ନର୍ଲା ବିଧାୟକ ।

For All Latest Updates

ABOUT THE AUTHOR

...view details