ଭୁବନେଶ୍ବର: କଅଁଳ ବୟସର କଅଁଳିଆ ପ୍ରେମ । ପ୍ରେମିକା ନିଶାରେ ଝିମିଟି ଖେଳରୁ ସୃଷ୍ଟି ହେଲା ମହାଭାରତ । ଫଳରେ ବଳି ପଡିଛି ପ୍ରେମିକର ସାଙ୍ଗ ଓ ହତ୍ୟାକାରୀ ସାଜିଛନ୍ତି ରାଜଧାନୀର ୯ ନାବାଳକ । ସୂଚନା ଅନୁଯାୟୀ ଖଣ୍ଡଗିରିରେ ଘଟିଥିବା ଶିବଶଙ୍କର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି ଏବଂ ଧରା ପଡିଛନ୍ତି ଅଭିଯୁକ୍ତ 9 ନାବାଳକ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର କିଛି ଦିନ ତଳେ ବରମୁଣ୍ଡା ବ୍ରିଜ ନିକଟରେ ହୋଇଥିବା ଏକ ବଚସାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଚଲାଇଥିଲା ଘଟଣାର ତଦନ୍ତ । ଯାହାକୁ ନେଇ ଏବେ ମୃତ ଶିବଶଙ୍କରଙ୍କ ସାଙ୍ଗ ମୁହଁ ଖୋଲିବାରୁ ପୋଲିସ ହାତରେ ଧରା ପଡିଛନ୍ତି ଅଭିଯୁକ୍ତ 9 ନାବାଳକ । ଯେଉଁମାନଙ୍କ ମଧ୍ୟରୁ କିଛି ଯୁକ୍ତ ଦୁଇରେ ପଢୁଥିବା ବେଳେ କିଛି ଆଇଟିଆଇର ଛାତ୍ର ଥିବା ଜଣା ପଡିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଜଣେ ଦଶମ ଶ୍ରେଣୀ ଛାତ୍ର ।
ଶିବଶଙ୍କରଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ ତାଙ୍କ ପ୍ରେମିକାକୁ ଧକ୍କା ମାରିବା କଥାରୁ ଆରମ୍ଭ ହୋଇଥିଲା ଉଭୟ ପକ୍ଷ ମଧ୍ୟରେ ଭୁଲ ବୁଝାମଣା । ଯାହାକୁ ନେଇ ବରମୁଣ୍ଡା ବ୍ରିଜ ନିକଟରେ କଥାର ସମାଧାନ ପାଇଁ ଉଭୟ ପକ୍ଷ ଭେଟିଥିଲେ । ହେଲେ କୌଣସି କାରଣରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେବାରୁ ରାଗିଯାଇ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଶିବଶଙ୍କରଙ୍କ ପେଟକୁ ଏକ ଧାରୁଆ ଛୁରୀ ଭୁଷି ଦେଇଥିଲେ ।
ତେବେ ଘଟଣାରେ ଗୁରୁତର ହୋଇ ପଡିବାରୁ ଶିବଶଙ୍କରଙ୍କୁ ଡାକ୍ତରଖାନା ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ସାଙ୍ଗ ଓ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନେଇ ଖଣ୍ଡଗିରି ପୋଲିସ ମଙ୍ଗଳବାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତ ଫେରାର ଥିବା ପ୍ରକାଶ କରିଛି ଖଣ୍ଡଗିରି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ