ବୌଦ୍ଧ: ବୌଦ୍ଧ ଜିଲ୍ଲାର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରୟାସ କରାଯାଇଛି ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଯୁବଗୋଷ୍ଠୀ ବେଶ ପ୍ରଶଂସା ସାଉଁଟିଛନ୍ତି । ଅନ୍ୟପଟେ ଜିଲ୍ଲାରେ ଦୀର୍ଘ ଦିନରୁ ସଂସ୍କୃତି ଅଧିକାରୀ କିମ୍ବା ସଂସ୍କୃତି କାର୍ଯ୍ୟାଳୟ ନଥିବାରୁ ଉଦବେଗ ପ୍ରକାଶ ପାଇଛି ।
ପାରମ୍ପରିକ ଲୋକ ସଂସ୍କୃତି ଓ ଲୋକକଳାକୁ ନେଇ ବୌଦ୍ଧର ରହିଛି ସ୍ବତନ୍ତ୍ର ପରିଚୟ । କିନ୍ତୁ ଅନେକ ସ୍ଥାନରେ ଏଭଳି ପାରମ୍ପରିକ ଲୋକକଳା ଲୁପ୍ତ ପାଇବାକୁ ବସିଲାଣି । ଏଭଳି ପାରମ୍ପରିକ ଲୋକ କଳାକୁ ବଞ୍ଚାଇ ରଖିବାକୁ ଯୁବଗୋଷ୍ଠୀ ପ୍ରୟାସ କରିଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ବୌଦ୍ଧର ପତ୍ର ଶଉରା, ଝାଲିଆ ଶବର, ଶବରୁଣୀ, ବାଇଧନ ଘୁବୁକୁଡୁ, ନଚନିଆ, ବଜନିଆ ଭଳି ଅନେକ ଲୁପ୍ତପ୍ରାୟ ଲୋକକଳା ରହିଛି । ଏହାଛଡା ଧୁନକେଲୀ ଭଳି ପାରମ୍ପରିକ ବାଦ୍ୟକଳାର ପୁନରୁଦ୍ଧାର ପାଇଁ ଯୁବଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଛନ୍ତି । ବୀରନରସିଂହପୁର ଅଞ୍ଚଳର କିଛି ଯୁବକ ମିଳିତ ଭାବରେ ଏଭଳି ପାରମ୍ପରିକ ବାଦ୍ୟକଳାର ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଥିବା ବେଳେ ରାଜନପାଲି ଅଞ୍ଚଳରେ ମଧ୍ୟ ଯୁବଗୋଷ୍ଠୀ ପାରମ୍ପରିକ ଲୋକ ନୃତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ବିଭିନ୍ନ ଯାତ୍ରା, ଉତ୍ସବ, ମହୋତ୍ସବରେ ଏଭଳି ପାରମ୍ପରିକ ତଥା ଲୁପ୍ତପ୍ରାୟ ଲୋକକଳାକୁ ପ୍ରଦର୍ଶିତ କରି କଳା ଓ କଳାକାରଙ୍କୁ ଉତ୍ସାହିତ କରୁଛନ୍ତି ।
ଏହାମଧ୍ୟ ପଢନ୍ତୁ..ଦଲାଲଙ୍କ କବ୍ଜାରେ ଶ୍ରମ କାର୍ଯ୍ୟାଳୟ ! ଶ୍ରମିକଙ୍କ ପରିବାରକୁ ସହାୟତା ମିଳୁନଥିବା ଅଭିଯୋଗ