ବୌଦ୍ଧ: ପ୍ରାଣୀଧନ ବିଭାଗ ଓ ବ୍ୟାଙ୍କର ଗୋଲକ ଧନ୍ଦାରେ ଛନ୍ଦି ହୋଇ ରହିଯାଇଛି ମହିଳା ସଶକ୍ତିକରଣ ଯୋଜନା । ଛେଳି ଚାଷ କରି ସର୍ବଶ୍ବାନ୍ତ ହେବା ପରେ କୌଣସି ସହଯୋଗ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ମହିଳା । ବୌଦ୍ଧ ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆଢେଣୀଗଡରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଆଢେଣୀଗଡ ପଞ୍ଚାୟତ ଗୋଛାବାରୀ ଗ୍ରାମର ତିନୋଟି ମହିଳା ଗୋଷ୍ଠୀ ଛେଳି ଚାଷ କରି ଉଭୟ ପ୍ରାଣୀଧନ ବିଭାଗ ଓ ବ୍ୟାଙ୍କ ର ଗୋଲକ ଧନ୍ଦାରେ ଫସି କଲବଲ ହେଉଛନ୍ତି । ସୂଚନା ମୁତାବକ ଆଢେଣୀଗଡ ପଞ୍ଚାୟତର ଏହି ମହିଳାମାନେ ସ୍ବାବଲମ୍ବୀ ହେବା ଆଶାରେ ମାଧପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଋଣନେଇ ଛେଳି ଚାଷ କରିଥିଲେ । ସମସ୍ତ ଛେଳିଙ୍କୁ ବୀମା ଭୁକ୍ତ କରିବା ସହ ପଶୁ ବିଭାଗ ଅଧିକାରୀଙ୍କ ଆବଶ୍ୟକ ମୁତାବକ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଛେଳି ଗୁଡିକ ମରିଯିବାରୁ ଇନସ୍ୟୁରାନ୍ସ କିମ୍ବା ଅନ୍ୟ କୌଣସି ପ୍ରକାର ସହାୟତା ମିଳି ପାରିଲା ନାହିଁ ।