ବୌଦ୍ଧ: ମାଛଚାଷ ବଦଳାଇ ଦେଇଛି ମହିଳାଙ୍କ ଜୀବନ ଶୈଳୀ । ଆଧୁନିକ କୌଶଳ ଓ ପଦ୍ଧତି ଅନୁସରଣ କରି ଆତ୍ମନିର୍ଭରଳଶୀଳ ହୋଇପାରିଛନ୍ତି ମହିଳା । ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁର୍ଷୁଣ୍ଡି ପଞ୍ଚାୟତର କଣ୍ଟୁଆଣୀ ଗ୍ରାମର ତିନୋଟି ସ୍ବୟଂ ସହାୟକ ମହିଳା ଗୋଷ୍ଠୀର ତିରିଶ ଜଣ ସଦସ୍ୟ ଏକାଠି ହୋଇ ବାୟୋଫ୍ଲେକ୍ସ ମାଧ୍ୟମରେ ମାଛ ଚାଷ କରି ସଫଳ ହୋଇଛନ୍ତି । ମାଛଚାଷ ସହିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କରି ଏବେ ବେଶ ଚର୍ଚ୍ଚାରେ ଏହି ମହିଳା ଗୋଷ୍ଠୀ ।
କୋରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିଥିବାବେଳେ, ବର୍ତ୍ତମାନ ଏହି ମହିଳାମାନଙ୍କ କ୍ଷେତ୍ରରେ ଆସିଛି ପରିବର୍ତ୍ତନ । ସରକାରଙ୍କ ମିଶନ ଶକ୍ତି ଏବଂ ଓଏଲଏମ ସହାୟତାରେ ପ୍ରାୟ ସାଢେ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତାରେ ମହିଳା ଗୋଷ୍ଠୀ ମାଛଚାଷ ଆରମ୍ଭ କରିଛନ୍ତି । ୬ଟି ବାୟୋଫ୍ଲେକ୍ସ ଟାଙ୍କିରେ ତିନି ପ୍ରକାରର ମାଛ ଜାଆଁଳା ଛଡାଯାଇଥିଲା । ବର୍ତ୍ତମାନ ମାଛ ଗୁଡିକ ପ୍ରାୟ ୫୦୦ ଗ୍ରାମ ଓଜନର ହୋଇଗଲେଣି ।
ଆଉ ଅଳ୍ପ ଦିନ ପରେ ଏହି ମାଛ ଗୁଡିକ ବିକ୍ରି ଯୋଗ୍ୟ ହୋଇଯିବ । ତେଣୁ ମହିଳାମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏନେଇ ମିଶନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା କହିଛନ୍ତି, "ଦୁଇ ବର୍ଷ କୋରୋନା ମଧ୍ୟରେ ଜୀବିକା ହରାଇ ମହିଳାମାନେ ଘରେ ବସିଥିଲେ । ୩ଟି ଏସଏଚଜି ଗ୍ରୁପର ମହିଳାମାନେ ଏକାଠି ହୋଇ ଏହି ଚାଷକୁ ଆପଣାଇଥିଲୁ । ୬ ମାସ ହେବ ଚାଷ କରୁଛନ୍ତି । ୧୦୦୦ ଟାଙ୍କି ହିସାବରେ ୬ଟି ଟାଙ୍କିରେ ୬ହଜାର ମାଛ ରହିଛନ୍ତି ।"