ବୌଦ୍ଧ:ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛନ୍ତି ତାଙ୍କ ପତ୍ନୀ । ସହାୟତା ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପହଞ୍ଚି ନପାରିବାରୁ ଜିଲ୍ଲା ପ୍ରଶାସନ ନିକଟରେ ପୁଣି ଥରେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ମହିଳା ଜଣଙ୍କ । ସେପଟେ ଜିଲ୍ଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ପଞ୍ଚାୟତ ଗୁଡ଼ିକରେ ଏକପ୍ରକାର ଅଚଳ ଅବସ୍ଥା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅଁଳାପାଲି ପଞ୍ଚାୟତରେ ପିଇଓ ଭାବରେ କାର୍ଯ୍ୟ ତୁଲାଇଥିଲେ ଗୋବିନ୍ଦ ଚନ୍ଦ୍ର ସାହୁ । ଚଳିତ ବର୍ଷ ଜାନୁୟାରୀ 26 ତାରିଖ ସାଧାରଣତନ୍ତ୍ର ଦିବସ ଗୋବିନ୍ଦଙ୍କ ପାଇଁ କାଳର ଦିନ ଥିଲା। ସାଧାରଣତନ୍ତ୍ର ଦିବସରେ ଅଁଳାପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ପାଇଁ ବାଇକ ଯୋଗେ ଘରୁ ବାହାରି ପଡ଼ିଥିଲେ । କିନ୍ତୁ ମୃତ୍ୟୁ ସତେ ଯେମିତି ତାଙ୍କୁ ବାଟରେ ଅନେଇ ବସିଥିଲା । ଗୋବିନ୍ଦ ଅଁଳାପାଲି ପଞ୍ଚାୟତରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବା ବେଳେ ବହିରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ-ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ପିତାମାତା