ବୌଦ୍ଧ:ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଫେଲ ମାରିଛି ପାନୀୟ ଜଳ ଯୋଗାଣ ଓ ପାଇଖାନା ଯୋଜନା । ବିଭିନ୍ନ ସ୍ଥାନରେ ଦୂଷିତ ତଥା ନର୍ଦ୍ଦମା ମିଶ୍ରିତ ପାଣି ବ୍ୟବହାର କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିନବ ଉପାୟରେ ଅଭିଯୋଗ କରିଛନ୍ତି ଲୋକେ । ଗରାରେ ଦୂଷିତ ପାଣି ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଁଞ୍ଚିଥିଲେ କଣ୍ଟାମାଳବାସୀ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗ୍ରାମ୍ୟ ଜଳ ଯୋଗାଣ ଓ ପାଇଖାନା ଯୋଜନା ଫେଲ ମାରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ପଞ୍ଚାୟତରେ କୋଟିକୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ବନ୍ଦ ପଡିଛି । ଯାହା ଫଳରେ ଲୋକେ ଦୂଷିତ ତଥା ଅପରିଷ୍କାର ପାନୀୟଜଳ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି । ସୋମବାର ବୌଦ୍ଧ ଜିଲ୍ଲାପାଳ କଣ୍ଟାମାଳରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପହଞ୍ଚିଥିଲେ । କଣ୍ଟାମାଳ ସହରର ଅଧିବାସୀମାନେ ଗରାରେ ଦୂଷିତ ପାଣି ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଅଞ୍ଚଳର ଅସୁବିଧା ବାବଦରେ କହିଥିଲେ ।