ବୌଦ୍ଧ: ଜିଲ୍ଲାର ବନଖଣ୍ଡ ଅଧୀନରେ ଥିବା ବନାଞ୍ଚଳରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟଜନ୍ତୁ ଓ ବୃକ୍ଷ । ବର୍ଷ ତମାମ ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଘଟଣା ସହ କାଠ ମାଫିଆଙ୍କ ସହାୟତାରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଚୋରାକାଠ ଚାଲାଣ ଘଟଣା ସାମନାକୁ ଆସୁଥିବା ବେଳେ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ।
ଚଳିତ ବର୍ଷ ସାରା ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର ହେବା ସହ ମୂଲ୍ୟବାନ କାଠଗୁଡିକ କଟା ଯାଉଥିଲା । ଜିଲ୍ଲାର ପାଞ୍ଚଟି ବନାଞ୍ଚଳରେ ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଭାବେ ଗଛକାଟି କାଠ ମାଫିଆମାନେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଏହାକୁ ଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଥିଲା । କେତେକ ସ୍ଥାନରେ ଜଙ୍ଗଲ ବିଭାଗ ଚଢ଼ାଉ କରି ଏଭଳି କିଛି ଚୋରାକାଠ ଚାଲାଣକୁ ରୋକିବାରେ ସମର୍ଥ ହୋଇଥିଲା । କିନ୍ତୁ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରେ କାଠ ମାଫିଆମାନେ ଏବେ ମଧ୍ୟ ଚୋରା ଚାଲାଣ ଜାରି ରଖିଛନ୍ତି ।