ବୌଦ୍ଧ: ନିରାଶ୍ରୟ, ଅସହାୟ ମହିଳାଙ୍କ ପାଖରେ ଅପହଞ୍ଚ ସହାୟତା । କେତେ କେତେ ଯୋଜନା, ହେଲେ ଯୋଜନା କାହା ପାଇଁ ହେଉଛି ? ତୃଣମୂଳ ସ୍ତରରେ ଯୋଜନା ସବୁ ଯନ୍ତ୍ରଣାରେ କିଭଳି ରୂପାୟନ ହୋଇଯାଉଛି, ତାହା ପ୍ରତି କାହାର ନିଘା ନାହିଁ । ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ ଜଡାପାଲ ଗ୍ରାମର ଚାରସାହିରେ ପତିହୀନା ମୈଥିଳୀ ସାହୁଙ୍କ ଦୁଃଖଦ କାହାଣୀ ଯୋଜନା କିଭଳି ପ୍ରହସନ ପାଲଟିଛି ତାହା ଦର୍ଶାଉଛି । ଗୁହାରି କରିବା ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି ହେଲେ ଏ ଯାଏଁ ମିଳିନି ବିଧବା ଭତ୍ତା ।
ଚାରସାହିର ରମେଶ ସାହୁ ଓ ତାଙ୍କ ପତ୍ନୀ ମୈଥିଳୀ ସାହୁ । ଘରେ ପୁଅ, ବୋହୂ, ଦୁଇ ଦୁଇଟି ନାତିରେ ସଂସାର ହସଖୁସିରେ ଚଳୁଥିଲା । ହେଲେ ଅଚାନକ ଘରକୁ ମାଡି ବସିଥିଲା ବିପଦ। ପ୍ରାୟ ଆଠବର୍ଷ ତଳେ ପ୍ରଥମେ ମୈଥିଳୀ ସାହୁଙ୍କ ପୁଅ ଓ ପରେ ତିନି ବର୍ଷ ତଳେ ସ୍ବାମୀଙ୍କ ସ୍ବର୍ଗବାସ ହେଲା । ଉଭୟ ଶାଶୁ ବୋହୂ ବୈଧବ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ପେଟର ଜ୍ବାଳା ଓ ଦୁଇ ଛୋଟ ନାତିର ମୁହଁକୁ ଦେଖି ଘରୁ ବାହାରକୁ ଗୋଡ କାଢି ଥିଲେ । ଶାଶୂ, ବୋହୂ ଅନ୍ୟର ଜମିରେ କିଛି କାମଦାମ କରି ପେଟ ପୋଷୁଛନ୍ତି ।