ବୌଦ୍ଧ:ଅଦିନିଆ ଝଡବର୍ଷା ଓ କୁଆପଥର ମାଡ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଧାରକରଜ କରି ଚାଷ କରିଥିବା ତରଭୁଜ ଚାଷୀ ଅସହାୟ ହୋଇପଡିଛି । କାଳବୈଶାଖୀ ତାଣ୍ଡବରେ ଉଜୁଡିଗଲା ଏକର ଏକର ଜମିରେ ହୋଇଥିବା ଫସଲ । ବୌଦ୍ଧ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ତରଭୁଜଠୁ ନେଇ ଧାନ ଓ ଆମ୍ବ ଫସଲର ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଜମିରେ ତରଭୁଜ ଫାଟି ଆଁ କରିଛି । ଝାଳ ବୁହାଇ ଖରା ବର୍ଷା ସହି ହସାଇଥିବା ଫସଲ ଦେଖି ଚାଷୀ ହତାଶ ହୋଇଛି । ଏନେଇ ଚାଷୀ ଜିଲ୍ଲାପାଳଙ୍କୁ ଗୁହାରି କରିବା ସହିତ ସହାୟତା ପାଇଁ ଗୁହାରି କରିଛି ।
କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡବର୍ଷା ସହିତ କୁଆପଥର ବୃଷ୍ଟି ଯୋଗୁଁ ବ୍ୟାପକ କ୍ଷତି ସହିଛି ଚାଷୀ । ଡାଳୁଅ ଧାନ ସହିତ ସାବିତ୍ରୀ ପାଇଁ ସାରା ଓଡିଶାକୁ ତରଭୁଜ ଯୋଗାଉଥିବା ଚାଷୀ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛି । ଅସହାୟ ହୋଇ ଚାଷୀ ଜିଲ୍ଲାପାଳଙ୍କ ଠାରେ ସହାୟତା ପାଇଁ ଗୁହାରି କରିଛି । ଗତକାଲି (ମଙ୍ଗଳବାର) ଅପରାହ୍ନରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡତୋଫାନ ସହିତ କୁଆପଥର ବର୍ଷା ହୋଇଥିଲା । ବିଶେଷ ଭାବରେ ହରଭଙ୍ଗା ବ୍ଲକର ସାମ୍ପୋଚ, ତିଲେଶ୍ବର, ରାମଗଡ, ଧଳପୁର, ପୁରୁଣାକଟକ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପ୍ରବଶ ପବର ସହିତ ବର୍ଷା ହୋଇଥିଲା । ଏହା ସହିତ ରାମଗଡ ପଞ୍ଚାୟତର ସଦର ମହକୁମା ସମେତ ପଲସାପାଟ, ପରଗଳପୁରର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ବୃଷ୍ଟିପାତ ହୋଇଥିଲା । ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଉପରେ ପଡିଥିବା ସୂଚନା ମିଳିଛି ।
କାଳବୈଶାଖୀ ତାଣ୍ଡବରେ ଉଜୁ଼ଡିଲା ଫସଲ, ଜମିରେ ଫାଟି ଆଁ ତରଭୁଜ - କାଳବୈଶାଖୀ
କାଳବୈଶାଖୀ ତାଣ୍ଡବରେ ଉଜୁଡିଗଲା ଏକର ଏକର ଜମିରେ ହୋଇଥିବା ଫସଲ । ବୌଦ୍ଧ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ତରଭୁଜଠୁ ନେଇ ଧାନ ଓ ଆମ୍ବ ଫସଲର ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଅଧିକ ପଢନ୍ତୁ
ରାମଗଡ ପଞ୍ଚାୟତରେ ହୋଇଥିବା ଝଡବର୍ଷା ଯୋଗୁଁ ବଡ ବଡ ଗଛ ଭାଙ୍ଗି ଉପୁଡି ପଡିଥିବା ବେଳେ କୁଆପଥର ମାଡରେ ଡାଳୁଅ ଧାନଚାଷ, ପନିପରିବା ବ୍ୟାପକ କ୍ଷତି ହୋଇଛି । ଡାଳୁଅ ଧାନ ଅମଳ ପାଇଁ ଆଉ ଅଳ୍ପ ଦିନ ଥିବା ବେଳେ ବର୍ତ୍ତମାନ ଅନେକ ଧାନ ଝଡିଯିବା ସହିତ ଧାନଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଆଗକୁ ସାବିତ୍ରୀ ଅମାବାସ୍ୟା ନିମନ୍ତେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନକୁ ତରଭୁଜ ଯୋଗାଉଥିବା ରାମଗଡର ତରଭୁଜ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ପ୍ରାୟ ଦୁଇ ଶହ ଏକରରୁ ଊର୍ଦ୍ଧ୍ବ ତରଭୁଜ ଚାଷ କୁଆପଥର ମାଡରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ସ୍ଥାନରୁ ଧାରକରଜ କରି ଚାଷ କରିଥିବା ତରଭୁଜ ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛି । କୁଆପଥର ମାଡରୁ ବର୍ତ୍ତିଯାଇଥିବା ତରଭୁଜକୁ ରାସ୍ତା କଡରେ ମାତ୍ର ଏକ ଟଙ୍କାରେ ବିକ୍ରି କଲେ ମଧ୍ୟ କେହି ନେଉନଥିବାରୁ ସେ ନିଜ ଧାରକରଜ କିଭଳି ଶୁଝିବେ ତଥା କିପରି ପରିବାର ଚଳାଇବେ ସେନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ଚାଷୀମାନେ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ସେପଟେ ହରଭଙ୍ଗା ରାଜସ୍ୱ ବିଭାଗର ଅଧିକାରୀ ଓ ବୌଦ୍ଧ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିବା ସହିତ ଏନେଇ ରିପୋର୍ଟ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି । ତୁରନ୍ତ ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ