ବୌଦ୍ଧ:ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକ ଜଳସ୍ତର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଫଳରେ ରାଜ୍ୟରେ ଛୋଟ ଧରଣର ବନ୍ୟା ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବୌଦ୍ଧର ଅନେକ ସ୍ଥାନର ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଶହ ଶହ ଏକର ଚାଷ ଜମିରେ ବନ୍ୟା ପାଣି ଲହଡି ମାରୁଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ହେଉଥିବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ବିଭିନ୍ନ ନଦୀକୂଳିଆ ଗାଁରେ ବନ୍ୟା ପାଣି ପଶିଥିବାବେଳେ, ଚାଷ ମଧ୍ୟ ପ୍ରଭାବିତ ହୋଇଛି । ଜିଲ୍ଲାର ସାହୁପଡା, ତେନ୍ତୁଳି ପାଲି, ଝରାସାହି, ପାଣିଘରା, ଖଣ୍ଡିଧଳପୁର, ସାକୁସିଙ୍ଗା, କଙ୍କଲା, ତେନ୍ତୁଳି ପଦର ବନ୍ୟା ପାଣି ଘେରରେ ରହିଛି । ସେହିପରି ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମ ଉଦଣ୍ଡୀ ନାଳରେ ବନ୍ୟା ପାଣି ଯୋଗୁଁ ତାହା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।