ବୌଦ୍ଧ:ଜିଲ୍ଲାର ବିଭିନ୍ନ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ ହୋଇସାରିଛି । ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ନଦୀ କୂଳିଆ ଅଞ୍ଚଳର ଅଧିବାସୀ ତଟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଥା ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଜିଲ୍ଲାରେ ସୋମବାର ଠାରୁ ମହାନଦୀର ଦୁଇ କୂଳକୁ ଲାଗି ବନ୍ୟାଜଳ ପ୍ରବାହିତ ହେଉଛି ।
ଏହାଛଡା ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ନଦୀରେ ମଧ୍ୟ ବର୍ଷା ଯୋଗୁଁ ବନ୍ୟାଜଳ ପ୍ରବାହିତ ହୋଇ ମହାନଦୀରେ ପ୍ରବେଶ କରିଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ବାଉଁଶୁଣୀର ଘିଙ୍ଗିରାପଡାଘାଟ, ତେନ୍ତୁଳି ପାଲିଘାଟ, କରଡ଼ି, ଖଣ୍ଡିଧଳପୁର, ରାମଗଡ଼, ସାକୁସିଙ୍ଗା ଘାଟରେ ବନ୍ୟା ଜଳସ୍ତର ବୃଦ୍ଧି ପାଇଛି । ପ୍ରତ୍ୟେକ ବର୍ଷ ମହାନଦୀର କୂଳରେ ଥିବା ଏହି ସ୍ଥାନରେ ଘାଇ ସୃଷ୍ଟି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଫଳରେ ଆତଙ୍କିତ ଅବସ୍ଥାରେ 20ରୁ ଅଧିକ ପରିବାର ରହୁଥିବା ବେଳେ କୌଣସି ସମୟରେ ମଧ୍ୟ ଅଘଟଣର ଆଶଙ୍କା ରହିଥିବା ଅଞ୍ଚଳବାସୀ କହିଛନ୍ତି ।
କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ ତେଲନଦୀ କୂଳରେ ଥିବା ବେଳେ ଶତାଧିକ ଗ୍ରାମ ତେଲନଦୀ ତଟରେ ରହିଛି । କିନ୍ତୁ ତେଲନଦୀ ତଟ ଅଧିକାଂଶ ସ୍ଥାନରେ ମୁକୁଳା ପଡ଼ିଥିବା ବେଳେ ନଦୀତଟ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି । ନଦୀତଟରେ ପଥର ପ୍ୟାକ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଅଞ୍ଚଳବାସୀ କହିଛନ୍ତି । ସେପଟେ ଗତକାଲି(ସୋମବାର) ମହାନଦୀରେ ହଠାତ୍ ବନ୍ୟାଜଳ ସ୍ତର ବୃଦ୍ଧି ପାଇବାରୁ ହରଭଙ୍ଗା ବ୍ଲକ ସାକୁସିଙ୍ଗାଘାଟରେ ଶତାଧିକ ଗାଈଗୋରୁ ଅଳ୍ପକେ ବର୍ତ୍ତିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।