ବୌଦ୍ଧ:ବ୍ଲକର ଅଧିକାଂଶ ପଞ୍ଚାୟତ ମହାନଦୀ କୂଳରେ ରହିଥିଲେ ମଧ୍ୟ ଉଭୟ ପାନୀୟଜଳ ଓ ଜଳସେଚନ ରେ ବ୍ୟାପକ ସମସ୍ୟା ରହୁଛି । ବ୍ଲକର ଅଧିକାଂଶ ସ୍ଥାନରେ ଆବାସ, ରାସନ, ମନରେଗା ସମସ୍ୟା ରହିଥିବାବେଳେ ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ବ୍ଲକର ବିଡ଼ିଓଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବ୍ଲକବାସୀ । ମହାନଦୀ କୂଳରେ ଅଧିକାଂଶ ପଞ୍ଚାୟତ ରହିଥିଲେ ମଧ୍ୟ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଓ ଜଳସେଚନର ବ୍ୟାପକ ସମସ୍ୟା ରହିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ 22ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ।
ସରସରା ଠାରୁ ନେଇ କୁଶଙ୍ଗ ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ପଞ୍ଚାୟତ ଗୁଡିକରେ ଚଳିତ ବର୍ଷ ମହାନଦୀରେ ବନ୍ୟା ଜଳ ଆସି ପ୍ରଭୁତ କ୍ଷତି ଘଟାଇଥିଲା । ଆହୁରି ମଧ୍ୟ ହରଭଙ୍ଗା ବ୍ଲକର ଅନେକ ପଞ୍ଚାୟତ ରେ ରାସନ, ଆବାସ, ମନରେଗା ଯୋଜନାରେ ବ୍ୟାପକ ଘୋଟାଲା ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ଅନେକ ପଞ୍ଚାୟତରେ କୋଟି କୋଟି ଟଙ୍କାର ମନରେଗା ଯୋଜନା ଅର୍ଥରେ ହରିଲୁଟ ହୋଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ସେପଟେ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳକୁ ସବୁଦିନିଆ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସ ସେବା ଆଜି ମଧ୍ୟ ଅପହଞ୍ଚ ହୋଇରହିଛି ।