ବୌଦ୍ଧ: ମାଳ ମାଳ ସମସ୍ୟା ଘେରରେ ଛନ୍ଦି ହୋଇ ପଡିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଜିଲ୍ଲାର ସଦର ବ୍ଲକର ଦୁଇଟି ପଞ୍ଚାୟତରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ଜାତୀୟ ରାଜପଥ କଡ଼ରେ ତଥା ମହାନଦୀ କୂଳରେ ଅବସ୍ଥିତ ଉକ୍ତ ଦୁଇ ପଞ୍ଚାୟତରେ ଜଳସେଚନଠାରୁ ନେଇ ଆବାସ, ରାସନ୍, ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ସମସ୍ୟାକୁ ନେଇ ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲା ବହିରା ଓ ଅଁଳାପାଲି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ତେବେ ମହାନଦୀ କୂଳରେ ଅବସ୍ଥିତ ଅଁଳାପାଲି ପଞ୍ଚାୟତର ହିଲୁଙ୍ଗ ଗ୍ରାମରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଗ୍ରାମର ନିକଟବର୍ତ୍ତୀ ଅଞ୍ଚଳକୁ ଉକ୍ତ ପ୍ରକଳ୍ପର ପାଣି ମିଳୁନାହିଁ । ଫଳରେ ଦୀପ ତଳ ଅନ୍ଧାର ଭଳି ଅଞ୍ଚଳର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଛଡ଼ା ସାଲୁଙ୍କୀ ସେଚ ପ୍ରକଳ୍ପର କେନାଲକୁ ଅନେକ ଲୋକ ଜବରଦଖଲ କରି ରଖିଥିବାରୁ ତଳମୁଣ୍ଡରେ ଥିବା ଜମିକୁ ଜଳସେଚନ ହୋଇ ପାରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଜଳସେଚନ ବିଭାଗର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି ।