ବୌଦ୍ଧ:ଦେଶ ସ୍ବାଧୀନତାର ୭୬ ବର୍ଷ ବିତିଗଲା । ଅନେକ କିଛି ପରିବର୍ତ୍ତନ ଘଟିଲା । ହେଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିଢ଼ି ପରେ ପିଢ଼ି ବସବାସ କରିଆସୁଥିବା ଆଦିବାସୀ ବସ୍ତିର ଚିତ୍ର ବଦଳି ପାରିଲାନି । ଦୀପତଳ ଅନ୍ଧାର ପରି ଏମାନଙ୍କ ପାଇଁ ମଧ୍ୟ ସରକାରଙ୍କ ସବୁ ଯୋଜନା ଯେମିତି ଅଦୃଶ୍ୟ ହୋଇଯାଇଛି । ଆଜି ବି ଲୋକେ ଜରିପାଲ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଇ ଆସୁଛନ୍ତି ।
୭୭ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶରେ ହରଘର ତ୍ରିରଙ୍ଗା ଅଭିଯାନ ପାଳନ ହେଉଛି । ଗାଁ ଠାରୁ ସହର ସବୁଆଡେ ଉତ୍ସବର ମାହୋଲ । ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ଦୁର୍ଗମ ଅଞ୍ଚଳରେ ଥିବା ଝାଟିମାଟି ଘରେ ଆଗରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି । ହେଲେ ବିକାଶର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଦେଶ ସ୍ବାଧୀନତାର ଏହି ଲମ୍ବା ସମୟ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହେବା ସହିତ ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଆଜି ମଧ୍ୟ ଏଭଳି ଅନେକ ଗରିବ ଅସହାୟ ପରିବାର ଅଛନ୍ତି, ଯାହାଙ୍କ ମୁଣ୍ଡ ଉପରେ ଛାତ ଘର ଖଣ୍ଡିଏ ସ୍ବପ୍ନ ହୋଇ ରହିଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କଲ୍ୟାଣକାରୀ ଯୋଜନା ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ପ୍ରଣୟନ କରିଛନ୍ତି । କିନ୍ତୁ ପଞ୍ଚାୟତ ସ୍ତରରେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିଙ୍କ ଆକ୍ରୋଶମୂଳକ ମନୋଭାବ ଯୋଗୁଁ ଗରିବ ହିତାଧିକାରୀ ସାମାଜିକ ସୁରକ୍ଷା ଠାରୁ ନେଇ ଆବାସ,ରାସନ, ପାନୀୟଜଳ ଭଳି ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଅପହଞ୍ଚ ସରକାରୀ ଯୋଜନା, ଉପାନ୍ତ ପଞ୍ଚାୟତର ଅକୁହା ଯନ୍ତ୍ରଣା
ଏ ଚିତ୍ର କୌଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ ବରଂ ବୌଦ୍ଧ ଜିଲ୍ଲା ସଦର ବ୍ଲକ ସମ୍ମୁଖରେ ଥିବା ଅଞ୍ଚଳରେ ଦେଖିବାକୁ ମିଳିଛି । ସ୍ବାଧୀନତାର ଅମୃତ ମହୋତ୍ସବରେ ସମସ୍ତ ନାଗରିକ ସାମିଲ ଥିବା ସମୟରେ ଏଠାରେ ମୁଣ୍ଡ ଗୁଞ୍ଜିବାକୁ ଚାଲିଛି ସଂଘର୍ଷ । ବୌଦ୍ଧ ବ୍ଲକ ସଦର ମହକୁମା ମୁର୍ଷଣ୍ଢି ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମର ଏକ ଆଦିବାସୀ ଅଧ୍ୟୁଷିତ ବସ୍ତିରେ ପିଢ଼ି ପରେ ପିଢ଼ି ବସବାସ କରୁଛନ୍ତି ପ୍ରାୟ କୋଡିଏ ପରିବାର । ତେବେ ଆଶ୍ଚର୍ଯ୍ୟର କଥା ଏହି ଆଦିବାସୀ ବସ୍ତିରେ ଅଧିକାଂଶ ପରିବାର ଜରିପାଲ ଟଣା ଭଙ୍ଗା ଦଦରା ଘରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଗାଈ ଛେଳିର ଗୁହାଳ ଭଳି ଛୋଟଛୋଟ ନୁଆଣିଆ ଘରେ ଏମାନଙ୍କ ଜୀବନ ବିତୁଛି । ନିର୍ବାଚନ ଋତୁରେ ଏମାନଙ୍କୁ ପ୍ରତିଶ୍ରୁତିର ପାହାଡ଼ରେ ପୋତି ଦିଆଯାଉଛି । କିନ୍ତୁ ପୁଣି ସେହି ଅରଣ୍ୟ ମଣିଷର ଜୀବନ ଭଳି ଏମାନଙ୍କୁ ବଞ୍ଚିବାକୁ ଛାଡିଦିଆଯାଉଛି ।
ସରକାର ଗରିବ ଅସହାୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ ଘର ପାଇଁ ଆବାସ ଯୋଜନା କରିଥିଲେ ମଧ୍ୟ ବସ୍ତିର ଅନେକ ପରିବାର ଏଥିରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏପରିକି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ ହୋଇପାରି ନଥିବା ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବଡ଼ ବଡ଼ ସରକାରୀ ବାବୁ ଓ ଜନ ପ୍ରତିନିଧି ଯାତାୟାତ କରନ୍ତି । କିନ୍ତୁ ଏମାନଙ୍କ ସମସ୍ୟା ପ୍ରତି ସତେ ଯେପରି ସମସ୍ତେ ଆଖି ବୁଜି ଦେଇଛନ୍ତି ।
ସୋମବାର ବୌଦ୍ଧ ଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ ଠାରେ ଲୋକଙ୍କ ସୁଖ ଦୁଃଖ ଶୁଣିବାକୁ ପହଞ୍ଚି ଥିବା ବେଳେ ଉକ୍ତ ଆଦିବାସୀ ବସ୍ତିର କିଛି ହିତାଧିକାରୀ ଜିଲ୍ଲାପାଳଙ୍କୁ ଏନେଇ ଗୁହାରି କରିଥିଲେ । ଅସହାୟ ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ