ବୌଦ୍ଧ: ଜିଲ୍ଲାରେ ପ୍ରାଣୀଧନ ଚିକିତ୍ସା କ୍ଷେତ୍ରରେ ଦେଖାଦେଇଛି ବ୍ୟାପକ ସମସ୍ୟା । ଅନେକ ଦିନଧରି ଦାବି କରାଯାଉଥିବା ସତ୍ତ୍ବେ ମଧ୍ୟ ପୂରଣ ହୋଇପାରୁ ନାହିଁ । ଜିଲ୍ଲାର ଅନେକ ପ୍ରାଣୀ ଚିକିତ୍ସା କେନ୍ଦ୍ର କର୍ମଚାରୀ ଅଭାବରୁ ତାଲା ଝୁଲିବା ସହ ଭୂତକୋଠି ପାଲଟିଛି ।ଏନେଇ ପ୍ରାଣୀ ଚିକିତ୍ସକମାନେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି
ପ୍ରାଣୀଧନ ଚିକିତ୍ସକଙ୍କ ସମସ୍ୟା ସମାଧାନ ହୋଇ ପାରୁ ନଥିବାରୁ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରାଣୀ ଚିକିତ୍ସକ । ଜିଲ୍ଲାର ବିଭିନ୍ନ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ଓ ଚିକିତ୍ସକଙ୍କ ଅଭାବରୁ ସେଠାରେ ଦୀର୍ଘ ବର୍ଷ ହେଲା ତାଲା ଝୁଲିବା ସହିତ ସେଗୁଡିକ ଭୂତକୋଠି ପାଲଟିଯାଇଛି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଧିକାଂଶ ସ୍ଥାନରେ ବନ୍ଦ ରହିବା ଯୋଗୁଁ ଗୋପାଳକ ଓ ଅନ୍ୟାନ୍ୟ ପ୍ରାଣୀ ପାଳକ ମାନେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବା ସହିତ ପ୍ରାଣୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଆମ୍ବଗାଁ ଠାରୁ ନେଇ ତଳଗାଁ ପଞ୍ଚାୟତ ପର୍ଯ୍ୟନ୍ତ ଥିବା 69 ପଞ୍ଚାୟତ ମଧ୍ୟରୁ 36 ଗୋଟି ପ୍ରଯୁଜ୍ୟ ପଦ ରହିଛି ।
ତନ୍ମଧ୍ୟରୁ କେବଳ 13 ଜଣ ପ୍ରାଣୀ ଚିକିତ୍ସକଙ୍କୁ ନେଇ ଜିଲ୍ଲାରେ ପ୍ରାଣୀଧନ ଚିକିତ୍ସା ସେବା ଜାରି ରହିଥିବା ସୂଚନା ମିଳିଛି । ଗୋପାଳକ ଓ ଅନ୍ୟ ଚାଷୀଙ୍କ ପାଇଁ ମୋଗୁହାଳ ଯୋଜନା ଠାରୁ ନେଇ ବିଭିନ୍ନ ଯୋଜନା ସରକାର କରିଥିଲେ ମଧ୍ୟ ତାହା ଦିଗହରା ହୋଇଥିବା ଅଭିଯୋଗ ହୋଇଛି । ଆବଶ୍ୟକ କର୍ମଚାରୀ ଓ ଚିକିତ୍ସକ ଅଭାବରୁ ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳର ଚାଷୀମାନେ ପ୍ରାଣୀଧନ ଚିକିତ୍ସା ସେବା ପାଇପାରୁ ନାହାନ୍ତି ।