ବୌଦ୍ଧ: ଚାଷ ପାଇଁ ଆବଶ୍ୟକ ଥିବା ସାରର ବ୍ୟାପକ କଳାବଜାରୀ ହେଉଥିବା ଅଭିଯୋଗ ହେଉଛି । ବୌଦ୍ଧରେ ଚାଷୀ ମାନଙ୍କୁ ସରକାରୀ ଧାର୍ଯ୍ୟ ଦର ଅନୁଯାୟୀ ସାର, ଔଷଧ ଓ ଅଣୁସାର ମିଳୁ ନ ଥିବାବେଳେ ମୁନାଫାଖୋର ବ୍ୟବସାୟୀମାନେ ଅଧିକ ଦାମରେ ବିକ୍ରୟ କରୁଛନ୍ତି। ଏପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାରୀ ନେଇ ବାରମ୍ବାର ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କିଛି ଡିଲରଙ୍କ ଲାଇସେନ୍ସ ଋଦ୍ଦ ସହ ପାଞ୍ଚ ଜଣ ପ୍ୟାକ୍ସ ସଂପାଦକଙ୍କୁ ନିଲମ୍ବିତ କରିଛନ୍ତି ।
ତେବେ ଜିଲ୍ଲାର ସବୁଠାରୁ ଅଧିକ ସାର ଯୋଗାଇ ଦିଆଯାଇଥିବା ମୁଣ୍ଡିପଦର ସମବାୟ ସମିତିର ସଂପାଦକଙ୍କୁ ବହିଷ୍କାର ପାଇଁ ଏବେ ଦାବି ହୋଇଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ସମବାୟ ସମିତିକୁ ପାଞ୍ଚ ହଜାର ପାଞ୍ଚ ଶହ ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଥିଲା । କିନ୍ତୁ ସମ୍ପାଦକ ଉକ୍ତ ସାରକୁ ଚାଷୀଙ୍କ ବଦଳରେ ଅଧିକାଂଶ ଉଚ୍ଚ ଦରରେ ଗଞ୍ଜେଇ ବେପାରୀ ଓ କପା ବେପାରୀଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି ।