ବୌଦ୍ଧ:ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ବାଧିକ ପଥ ଅତିକ୍ରମ କରୁଥିବା ଜିଲ୍ଲାରେ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସମ୍ପର୍କରେ ଜିଲ୍ଲା ନାଗରିକ କମିଟିର ସଭାପତି ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣକୁ ନେଇ ଲାଗି ରହିଛି କେଁ । ଜଙ୍ଗଲ ଜମି ଏହି ସମସ୍ୟାର ମୁଖ୍ୟ କାରଣ ହୋଇରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟଣାଓଟରା ମଧ୍ୟରେ ଏହାର ଭାଗ୍ୟ ଭବିଷ୍ୟତକୁ ନେଇ ଅଞ୍ଚଳବାସୀ ସନ୍ଦିହାନ ହୋଇପଡିଛନ୍ତି । ତେବେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ଜଙ୍ଗଲ ଜମି ରହିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ ଏହାକୁ ନେଇ ଫଇସଲା ହେଇପାରୁନାହିଁ ।
ଦୀର୍ଘ ବର୍ଷର ଦାବି ପରେ 1994 ମସିହାରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଆଶା ସଞ୍ଚାର ହୋଇଥିଲା । ତେବେ ପରିବର୍ତ୍ତିତ ସମୟରେ ଏହାର ରୂପରେଖ ଓ ବଜେଟରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ଗତ ସପ୍ତାହରେ କେନ୍ଦ୍ର ସରକାର ଉକ୍ତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ଆଉ ପ୍ରାୟ ଷୋହଳ ଶହ କୋଟିର ବ୍ୟୟ ବରାଦ ପରେ ଏହାର ଅଗ୍ରଗତି ନେଇ ଅଧିକ ଆଶା ଉଜ୍ଜୀବିତ ହୋଇଛି ।