ଓଡିଶା

odisha

By

Published : Apr 4, 2023, 3:25 PM IST

ETV Bharat / state

ବିକାଶଠୁ ଦୂରରେ ଉଦୟପୁର: ପିଇବାକୁ ପାଣି ମିଳୁନି, ରାସ୍ତା ଅବସ୍ଥା ଶୋଚନୀୟ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତର ଉଦୟପୁର ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା । ଅଧିକ ପଢନ୍ତୁ

villagers allegedly not getting basic facilities
villagers allegedly not getting basic facilities

ପିଇବାକୁ ପାଣି ମିଳୁନି, ରାସ୍ତା ଅବସ୍ଥା ଶୋଚନୀୟ

ବୌଦ୍ଧ:ଗରୀବ ଜନ ସାଧାରଣଙ୍କୁ ସୁବିଧା ଯୋଗାଇ ଦେବାକୁସରକାରଙ୍କ ମାଳମାଳ ଯୋଜନା । ହେଲେ ଅନେକ ଅଞ୍ଚଳରେ ଏସବୁ ଯୋଜନା ଠିକରେ ପହଞ୍ଚି ପାରୁନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ବ୍ଲକ କାର୍ଯ୍ୟାଳୟ ନିକଟବର୍ତ୍ତୀ ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା । ସରକାରୀ ବାବୁଙ୍କ ଉଦାସୀନତା କାରଣରୁ ସରକାରଙ୍କ ବିକାଶମୂଳକ ତଥା କଲ୍ୟାଣକାରୀ ଯୋଜନା ପହଞ୍ଚି ପାରୁ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ଓ୍ବାର୍ଡ ମେମ୍ବର ପଞ୍ଚାୟତଠାରୁ ନେଇ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ସୂଚନା ଦେଇଛନ୍ତି ।

ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଗ୍ରାମକୁ ପ୍ରଶାସନ ସତେ ଯେପରି ବିକାଶ ପହଞ୍ଚାଇବା ପାସୋରି ଦେଇଛି । ସରକାରୀ ଯୋଜନା ବ୍ଲକ ନିକଟରେ ଅପହଞ୍ଚ ହୋଇ ପଡିଛି । ଏ ସମ୍ପର୍କରେ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତର ଉଦୟପୁର ଗ୍ରାମରେ ପ୍ରାୟ ତିନି ଶହ ପରିବାର ବସବାସ କରନ୍ତି । କିନ୍ତୁ ଗ୍ରାମରେ ଥିବା ତିନୋଟି ନଳକୂପ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡି ରହିଛି । ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ଉଦୟପୁର ଗ୍ରାମବାସୀ ପାନୀୟଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗ୍ରାମବାସୀ ପଞ୍ଚାୟତଠାରୁ ବ୍ଲକର ସରକାରୀ ବାବୁଙ୍କ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ମୁଖ୍ୟ ରାସ୍ତାଠାରୁ ଉଦୟପୁର ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ବେଳେ ବ୍ଲକ ନିକଟରେ ଏଭଳି ପରିସ୍ଥିତି ପାଇଁ କିଏ ଦାୟୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାମରେ ଏଭଳି ଅନେକ ଗରୀବ ପରିବାର ରହିଛନ୍ତି ଯେଉଁ ମାନଙ୍କ ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡେ ଆଜି ମଧ୍ୟ ଦିବା ସ୍ବପ୍ନ ହୋଇ ରହିଛି । ଗ୍ରାମର ଅଘମଣି ଝାଙ୍କର ଏକ ଉଦାହରଣ ମାତ୍ର । ତାଙ୍କ ବୃଦ୍ଧ ସ୍ବାମୀଙ୍କୁ ନେଇ ଏକ ଭଙ୍ଗା ଦଦରା ଘରେ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଥିବା ବେଳେ ପୁଅ ସୁଦୂର ତାମିଲନାଡୁରେ ଦାଦନ ଖଟୁଛି । ଘର ଖଣ୍ଡେ ପାଇଁ ସେ ପଞ୍ଚାୟତରୁ ବ୍ଲକ ଅଫିସକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇ ସାରିଲେଣି । କିନ୍ତୁ ତାଙ୍କ ଦୁଃଖ ଶୁଣିବାକୁ ସତେ ଯେପରି କେହି ନାହାନ୍ତି । ଘରମଣିଙ୍କ ଭଳି ଅନେକ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି । ଏପରିକି ଗ୍ରାମର ଅନେକ ଅସହାୟ, ବିଧବା, ବୃଦ୍ଧ ସାମାଜିକ ସୁରକ୍ଷାରେ ସାମିଲ ହୋଇ ପାରି ନଥିବା ଅଭିଯୋଗ ହୋଇଛି ।

ଗ୍ରାମର ବହୁବିଧ ସମସ୍ୟା ସମ୍ପର୍କରେ ଖୋଦ ସ୍ଥାନୀୟ ଓ୍ବାର୍ଡ ମେମ୍ବର ପଞ୍ଚାୟତ ଓ ବ୍ଲକରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କିନ୍ତୁ କାହିଁକି ଉଦୟପୁର ଗ୍ରାମବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି ଓ ସେଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାମର ସମସ୍ୟା ସମ୍ପର୍କରେ ସୋମବାର ସ୍ଥାନୀୟ ଓ୍ବାର୍ଡ ମେମ୍ବର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ସମାଧାନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଏନେଇ କଣ୍ଟାମାଳ ବିଡ଼ିଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ତଥା ନଳକୂପ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details