ବୌଦ୍ଧ: ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ 2 ଜଣ ଶିକାରୀଙ୍କୁ ଗିରଫ ସହ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କଲା ବନ ବିଭାଗ ।
ନିଆଁ ଲଗାଉଥିବା ଅଭିଯୋଗରେ 2 ଶିକାରୀ ଗିରଫ ସାଧାରଣରେ ଜନସଚେତନତା ଅଭାବରୁ ବୌଦ୍ଧ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ନିଆଁ ଲାଗିବା ଘଟଣା ଜଙ୍ଗଲ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ଗତ ତିନି ଦିନ ପୂର୍ବରୁ ବନ ବିଭାଗ ଆକ୍ସନ ମୁଡକୁ ଆସି ବିଭିନ୍ନ ଜଙ୍ଗଲରେ ପାଟ୍ରୋଲିଂକୁ କଡାକଡି କରିଥିଲା ।
ଆଉ ଏହାପରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଶନିବାର ପୁରୁଣାକଟକ ବନାଞ୍ଚଳର ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଥିବା ଅଭିଯୋଗରେ ଗିରଫ ଚାରି ଜଣଙ୍କ ମଧ୍ୟରୁ ଜଣେ କେନ୍ଦୁପତ୍ର ବିଭାଗର ମୁନସୀ ବୋଲି ଜଣାପଡିଛି ।
ସେପଟେ ରବିବାର ମନମୁଣ୍ଡା ବନାଞ୍ଚଳକୁ ବଡ ଧରଣର ସଫଳତା ମିଳିଛି । ମନମୁଣ୍ଡା ବନାଞ୍ଚଳର ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରେ ଦୁଇ ଜଣ ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ଛକି ବସିଥିଲେ । ତେବେ ଜଙ୍ଗଲ ବିଭାଗର କର୍ମଚାରୀ ଉକ୍ତ ଦୁଇ ଶିକାରୀଙ୍କୁ କାବୁ କରି ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଦିଆସିଲି, ବାରୁଦ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଜବତ କରାଯାଇଥିଲା ।
ତେବେ 24 ଘଣ୍ଟା ମଧ୍ୟରେ ଜଙ୍ଗଲ ବିଭାଗକୁ ଦୁଇ ଦୁଇଟି ବଡ ସଫଳତା ମିଳିଥିବା ବେଳେ ଜଙ୍ଗଲରେ ନିଆଁ ଲଗାଇବାରେ କେନ୍ଦୁପତ୍ର ବିଭାଗ ଓ ବନ୍ୟଜନ୍ତୁ ଶୀକାରୀଙ୍କ ହାତ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ